ଶିକ୍ଷକଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଉଦ୍ଧାର

ସିମୁଳିଆ,୨ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଆନନ୍ଦ ବିହାରୀ ପତ୍ରୀ(୬୪)ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ରକ୍ତାକ୍ତ ମୃତଦେହ ଶନିବାର ସକାଳେ ସ୍ଥାନୀୟ ବିଲରୁ ଉଦ୍ଧାର ହୋଇଛି। ଗୁରୁତର ଅବସ୍ଥାରେ ସ୍ବର୍ଗତଃ ଶିକ୍ଷକଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ(୬୦)ଙ୍କୁ ଘରର ବାଥ୍‌ରୁମରୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ଓ ସେଠାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ା ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ସ୍ଥାନୀୟ ଲୋକେ ବିଲରେ ପଡ଼ିଥିବା ରକ୍ତାକ୍ତ ମୃତଦେହ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଡକାୟତି ପରେ ତାଙ୍କୁ ହତ୍ୟା କରାଯାଇଥିବାର କୁହାଯାଉଥିବା ବେଳେ ଅନ୍ୟ କେତେକ ଏହାକୁ ଜମିବାଡ଼ି ସଂକ୍ରାନ୍ତୀୟ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମତବ୍ୟକ୍ତ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଥିବା ବେଳେ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଥାନାଧିକାରୀ ଜୟନ୍ତ କୁମାର ବେହେରା ପହଞ୍ଚି ତଦନ୍ତ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନାଯୋଗ୍ୟ, ସ୍ବର୍ଗତଃ ଶିକ୍ଷକ ଏବଂ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବାଲିଖଣ୍ଡରେ ରହୁଥିବା ବେଳେ ତାଙ୍କ ପୁଅ ଓ ବୋହୂ ଭଦ୍ରକରେ ରୁହନ୍ତି ା ତେବେ ଶୁକ୍ରବାର ରାତିରେ ୩ ଜଣ ଦୁର୍ବୃତ୍ତ ପାଣି ମାଗିବା ଆଳରେ ତାଙ୍କ ଘରେ ପଶିଥିଲେ। ପରେ ଲୁଟ୍‌ପାଟ କରିବା ପରେ ଆନନ୍ଦ ଓ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡ ଓ ବେକକୁ ମାରଣାସ୍ତ୍ରରେ ଚୋଟ ମାରିଥିବାର କୁହାଯାଇଛି। ତାଙ୍କ ଘରର ବିଭିନ୍ନ କାଗଜପତ୍ର, ବାକ୍ସ ସ୍ଥାନୀୟ ବିଲରେ ପଡ଼ିଥିବାର ଦେଖାଯାଇଛି।ତେବେ ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ ବୋଲି ପୋଲିସ କହିଛି।