ଠିକ୍‌ ସମୟରେ ଆସୁନାହାନ୍ତି ଶିକ୍ଷକ, ପିଲା

ଛତ୍ରପୁର,୨୮ା୮(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ କେତେକ ସ୍କୁଲକୁ ଠିକ୍‌ ସମୟରେ ଶିକ୍ଷକ ଓ ଛାତ୍ରୀଛାତ୍ର ଆସୁନାହାନ୍ତି। ଏପରିକି କେତେକ ସ୍କୁଲକୁ ଶିକ୍ଷକ ଓ ଛାତ୍ରୀଛାତ୍ର ଆସୁଥିଲେ ମଧ୍ୟ କ୍ଲାସରୁମ୍‌କୁ ଯାଉନାହାନ୍ତି। ସ୍କୁଲ ପରିସରରେ ଭିଡ ଜମାଉଛନ୍ତି। ଜିଲା ଶିକ୍ଷା ଅଧିକାରୀ ବିଭିନ୍ନ ସ୍କୁଲ ପରିଦର୍ଶନ ବେଳେ ଏହା ଦେଖିଛନ୍ତି। ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ସମୟ ଅନୁସାରେ ହେଉନି ା ଯାହାକି ଗ୍ରହଣୀୟ ନୁହେଁ ା ଏଥିଲାଗି ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଜିଲାର ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ୨୫ ତାରିଖରେ ଚିଠି (ନଂ.୧୫୨୬୫) କରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି। ଖିଲାପ କଲେ ସମ୍ପୃକ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଅଧିକାରୀ ମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ସତର୍କ କରାଇଦେଇଛନ୍ତି। ଏ ସମ୍ପର୍କରେ ସେ ଜିଲାପାଳ ଓ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଚିଠି ଦ୍ୱାରା ଜଣାଇଛନ୍ତି। ଉକ୍ତ ନିର୍ଦ୍ଦେଶନାମାରୁ ଜଣାଯାଇଛି ଯେ ପୂର୍ବାହ୍ନ ୧୦ଟା ପୂର୍ବରୁ ସ୍କୁଲକୁ ସମସ୍ତ ଶିକ୍ଷକ ଓ ନନ୍‌ ଟିଚିଂ ଷ୍ଟାଫ୍‌ ଆସିବା ବାଧ୍ୟତାମୂଳକ। କେହି ବିଳମ୍ବରେ ଆସିପାରିବେନି ା ସ୍କୁଲରେ ପ୍ରାର୍ଥନା ୧୦ଟାରେ ଆରମ୍ଭ ହେବ ଏବଂ କ୍ଲାସ ରୁମ୍‌ରେ ୧୦ଟା ୨୦ରେ ପହଞ୍ଚିବା ବାଧ୍ୟତାମୂଳକ ା ଦୈନିକ ପ୍ରଧାନଶିକ୍ଷକ ମାନେ ଉଭୟ ଶିକ୍ଷକ ଓ ଛାତ୍ରୀଛାତ୍ର ମାନଙ୍କ ଉପସ୍ଥାପନା ତ୍ୱରାନ୍ବିତ କରିବେ ା କ୍ଲାସରୁମ୍‌ରେ ପାଠପଢା ଠାରୁ ଆରମ୍ଭ କରି ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଯେଭଳି ତ୍ୱରାନ୍ବିତ ହେବ ତାହା ପ୍ରଧାନଶିକ୍ଷକମାନଙ୍କ ଦାୟିତ୍ୱ ା ଯଦି ସ୍କୁଲରେ ଦୈନିକ ପରିଚାଳନାରେ କୌଣସି ବାଧା ଉପୁଜେ ସେ ସମ୍ପର୍କରେ ସମ୍ପୃକ୍ତ ବ୍ଲ୍‌କ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ା ପ୍ରତି ମାସର ପ୍ରଥମ ଓ ତୃତୀୟ ଶନିବାର ଜିଲା ଶିକ୍ଷା ଅଧିକାରୀଙ୍କ ସ୍ତରରେ ଅଭିଯୋଗ ଶୁଣାଣି ହେଉଛି ା ଅନୁମତି ନେଇ ଶିକ୍ଷୟିତ୍ରୀ ଶିକ୍ଷକମାନେ ଉକ୍ତ ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିବାକୁ ଡିଇଓ ନିର୍ଦ୍ଦେଶ ଦେଇଛନ୍ତି।