ଲକ୍ଷଣ ବଦଳାଉଛି କରୋନା

କରୋନା ମହାମାରୀ ବ୍ୟାପିବାର ଦୁଇବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କୋଟି କୋଟି ଲୋକ ସଂକ୍ରମିତ ବି ହୋଇସାରିଛନ୍ତି। ଏହି ସମୟରେ କିଙ୍ଗ୍‌ସ କଲେଜ ଲଣ୍ଡନର ସହଯୋଗରେ ବିକଶିତ କୋଭିଡ୍‌ ଷ୍ଟଡି ଆପ୍‌ରେ ସଂଗୃହୀତ କରୋନା ସଂକ୍ରମିତ ରିପୋର୍ଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ପ୍ରକାଶ ପାଇଛି। କିଙ୍ଗ୍‌ସ କଲେଜର ଟିମ୍‌ ସ୍ପେକ୍ଟର୍‌ ଆପ୍‌ର ଫଳାଫଳ ଦେଖିଲେ ଜଣାପଡ଼େ, କରୋନା ମହାମାରୀ ରୋଗର ଲକ୍ଷଣ ବଦଳାଉଛି।

୨୦୨୦ ମହାମାରୀ ଆରମ୍ଭରେ ମୁଖ୍ୟତଃ କାଶ, ଜ୍ୱର, ସ୍ବାଦ ଏବଂ ଗନ୍ଧ ବାରି ନ ହେବାର ଲକ୍ଷଣ ଦେଖାଦେଇଥିଲା। ଏହା ବ୍ୟତୀତ ଥକ୍କାପଣ, ମୁଣ୍ଡବିନ୍ଧା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଅନେକ ଲକ୍ଷଣ ପ୍ରକାଶ ପାଇଥିଲା। ଏହି ସମାନ ଗୁଣ ଥାଇ ଆଲ୍‌ଫା ଭାରିଆଣ୍ଟ ଆସିଲା। ପରେ ଡେଲ୍ଟା ଭାଇରସ୍‌ରେ କାଶ, ଜ୍ୱର ଏବଂ ଗନ୍ଧ ନଷ୍ଟ ହେବାର ଲକ୍ଷଣ ଦୁର୍ବଳ ହୋଇଗଲା। ନାକ, ଗଳା ଯନ୍ତ୍ରଣା ଏବଂ ବାରମ୍ବାର ଛିଙ୍କିବା ଭଳି ଲକ୍ଷଣ ଅଧିକ ଦେଖାଗଲା। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ହେଉଥିଲା।

ଏବେ ଆସିଛି ନୂଆ ଭାରିଆଣ୍ଟ ଓମିକ୍ରନ। ଏହି ଭାଇରସ ଦ୍ୱାରା ସଂକ୍ରମଣ ହେଲେ ଲକ୍ଷଣ ପ୍ରକାଶ ପାଉନାହିଁ। ଯାହାକି ଚିନ୍ତାଜନକ। ବାସ୍ତବରେ ଅନେକ ଲୋକ କରୋନା ସଂକ୍ରମଣକୁ ଏକ ସାଧାରଣ ଥଣ୍ଡା ବୋଲି ଭାବି ନେଇଥାନ୍ତି। ମାତ୍ର ଏହା ଭାବିବା ଠିକ୍‌ ନୁହେଁ।

ଓମିକ୍ରନର ଲକ୍ଷଣ ସାଧାରଣ ଥଣ୍ଡା ଭଳି। କିଛି ଲୋକଙ୍କଠାରେ ମାଂସପେଶୀ ଯନ୍ତ୍ରଣା, ଝାଡ଼ା, ବାନ୍ତି ଦେଖାଯାଉଛି। ଆଉ କିଛି ଲୋକଙ୍କଠାରେ ଆଦୌ କୌଣସି ଲକ୍ଷଣ ଦେଖାଯାଉନାହିଁ। ସେହିଭଳି ଜ୍ୱର ମଧ୍ୟ କମିଯାଉଛି। ତେଣୁ ଲୋକେ କରୋନାରେ ଆକ୍ରାନ୍ତ ହୋଇ ନ ଥିବା ଧରି ନେଉଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ରିପୋର୍ଟ ପଜିଟିଭ୍‌ ବାହାରୁଛି। ଥଣ୍ଡାର ଲକ୍ଷଣକୁ କରୋନା ଲକ୍ଷଣ ନ ଥିବା ନ ଭାବି ସତର୍କତା ଅବଲମ୍ବନ କରିବା ଉଚିତ୍‌। ଫଳରେ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରିବା ବୋଲି ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି।