Categories: ବାଣିଜ୍ୟ

ଜୀବନବୀମାକୁ ନେଇ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ :ସୁପ୍ରିମକୋର୍ଟ ଜୀବନବୀମାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜୀବନବୀମା ପଲିସି ନେବା ବେଳେ ଲୋକଙ୍କୁ ରୋଗ ସମ୍ପର୍କିତ ଠିକ୍‌ ତଥ୍ୟ ପ୍ରଦାନ କରିବାକୁ ହେବ। ଲୋକମାନେ ଯଦି ଏ କ୍ଷେତ୍ରରେ ଠିକ୍‌ ସୂଚନା ନ ଦେଇ ତଥ୍ୟ ଲୁଚାନ୍ତି ତେବେ କ୍ଲେମ୍‌ ଖାରଜ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ବୀମା ସୁବିଧା ଭରସା ଉପରେ ଆଧାରିତ ହୋଇଥାଏ। ଜୀବନବୀମା ନେଉଥିବା ବ୍ୟକ୍ତିଙ୍କର ଏହା ଉତ୍ତରଦାୟିତ୍ୱ ଯେ, ସବୁ ତଥ୍ୟ ଠିକ୍‌ ଭାବେ ଉପସ୍ଥାପନ କରିବେ। ଫଳରେ ବୀମା କମ୍ପାନୀ ସବୁ ପ୍ରସଙ୍ଗକୁ ଠିକ୍‌ ଭାବେ ବିଚାର କରିବାକୁ ସକ୍ଷମ ହେବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏ ସଂକ୍ରାନ୍ତ ହୋଇଥିବା ଏକ ମାମଲାର ଗୁରୁବାର ଶୁଣାଣି ହୋଇଛି। ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି। ନ୍ୟାୟାଳୟ କହିଛନ୍ତି, ବୀମା ନେଉଥିବା ବ୍ୟକ୍ତିଙ୍କ ଫର୍ମରୁ ବୀମା କମ୍ପାନୀ ଲୋକଙ୍କର ବୀମା ଗ୍ରହଣ ସ୍ଥିତି ବିଚାର କରିଥାନ୍ତି। ଏଣୁ ଏଥିରେ ଠିକ୍‌ ସୂଚନା ଦେବାର ଆବଶ୍ୟକତାକୁ ସମସ୍ତେ ବିଚାର କରିବାକୁ ହେବ।

Share