ଭଞ୍ଜନଗର,୨୯ା୧୦(ବାବୁଲା ପ୍ରଧାନ): ବାତ୍ୟା ଭଞ୍ଜନଗର ଅଞ୍ଚଳରେ ଯେଉଁଭଳି ତାଣ୍ଡବ ରଚିବ ବୋଲି ଆଶଙ୍କା କରାଯାଉଥିଲା ସୌଭାଗ୍ୟବଶତଃ ସେଭଳି କିଛି ହୋଇନାହିଁ। କିନ୍ତୁ ବର୍ଷା ପାଇଁ ବ୍ଲକର ଅନେକ ଝାଟିମାଟି ଘର ଭାଙ୍ଗିଯାଇଛି। ଏଥିସହ ଜମିରେ ପାଣି ଭରି ରହିବା ଯୋଗୁ ଧାନଫସଲ ଅନେକ ଚାଷୀଙ୍କ କ୍ଷତିହୋଇଛି। ତେଣୁ ସରକାର କ୍ଷତିଗ୍ରସ୍ତ ଚାଷୀ ଏବଂ ଗୃହକର୍ତ୍ତାଙ୍କୁ ସହାୟତା ରାଶି ଯୋଗାଇ ଦେବାପାଇଁ ଦାବି ହୋଇଛି।
ବୁଧବାର ଭଞ୍ଜନଗର ଅଞ୍ଚଳରେ ତୁହାକୁ ତୁହା ବର୍ଷା ହୋଇଛି। ତେଣୁ ଲୋକେ ପ୍ରାୟ ଘରୁ ବାହାରକୁ ବାହାରି ନାହାନ୍ତି। ସହର ଶୂନ୍ଶାନ୍ ଅଛି। ଅପରପକ୍ଷେ ବାତ୍ୟା ଟଳି ଯାଇଥିଲେ ମଧ୍ୟ ବିଭିନ୍ନ ଜଳଭଣ୍ଡାରରେ ବର୍ଷା ପାଣି ପ୍ରବେଶ କରୁଥିବାରୁ ବଳକା ପାଣିକୁ ନଦୀ ଓ କେନାଲ ମାଧ୍ୟମରେ ଛାଡ଼ି ଦିଆଯାଇଛି। ଏହି ବର୍ଷାରେ ମୁଦୁଲିପଲ୍ଲୀ, ଜିଲୁଣ୍ଡି, ବାଉଁଶଲୁଣ୍ଡି, ପଢ଼ାଲ, ଗୋଲାପଦା, ବଡକୋଦଣ୍ଡା, ସାନକୋଦଣ୍ଡା, ଡୁମାକୁମ୍ପା, ମୁଜାଗଡ଼, ଗୁଣ୍ଡିରିବାଡ଼ି, ଗାଲେରୀ, ତୁରୁମୁ, ଲେମ୍ଭେଇ, ହରିଗଡ଼, ତିଲିସିଙ୍ଗି, ଦୋମୁହାଣି, ବ୍ରାହ୍ମଣପଦର, କୁଲାଡ଼, ବାରୁଡ଼ା, ଲାଲସିଂ ସମେତ ପ୍ରମୁଖ ପଞ୍ଚାୟତରେ ଫସଲ ନଷ୍ଟ ହେବା ସହ ଘରଦ୍ୱାର ଭାଙ୍ଗିଛି।


