Categories: ବାଣିଜ୍ୟ

ଭାକ୍‌ସିନ ଆଶାରେ ଉଛୁଳିଲା ସାରା ବିଶ୍ୱର ଷ୍ଟକ୍‌ ବଜାର

ନ୍ୟୁୟର୍କ: କରୋନା ଭୂତାଣୁକୁ ପ୍ରତିହତ କରିବାର ଭାକ୍‌ସିନ ଆସିବା ନେଇ ବର୍ତ୍ତମାନ ଆଶା ଦୃଢ଼ୀଭୂତ ହୋଇଛି। ଏହି କାରଣ ଯୋଗୁ ସାରା ବିଶ୍ୱରେ ଷ୍ଟକ୍‌ ବଜାରଗୁଡିକରେ ଉତ୍ସାହ ଦେଖିବାକୁ ମିଳିଛି। ନ୍ୟୁୟର୍କ ଏସ୍‌ ଆଣ୍ଡ ପି ର ୫୦୦ କମ୍ପାନୀର କାରବାର ବେଶ୍‌ ଉନ୍ନତ ରହିବା ସହ ରେକର୍ଡ ସ୍ଥିତିରେ ରହିଛି। ଏସ୍‌ ଆଣ୍ଡ ପି କମ୍ପାନୀଗୁଡିକର ଷ୍ଟକ୍‌ କାରବାର ୨.୮% ବଢିଥିବା ବେଳେ ଡାଉଜୋନ୍ସର ଇଣ୍ଡଷ୍ଟ୍ରିଆଲ ଆଭରେଜ ୩.୯% , ନାସ୍‌ଦାକ କମ୍ପୋଜିଟ ଇଣ୍ଡେକ୍ସ ୧.୧% ଏବଂ ଷ୍ଟକ୍‌ସ ୟୁରୋପ ୬୦୦ ଇଣ୍ଡେକ୍ସ ୪.୧% ବଢିଛି। ବ୍ଲୁମ୍‌ବର୍ଗର ଡଲାର ସ୍ପଟ୍‌ ଇଣ୍ଡେକ୍ସ ୦.୪% ବଢିଥିବା ବେଳେ ୟୁରୋ ୦.୫% ହ୍ରାସ ପାଇଛି। ଜାପାନର ୟେନ୍‌ କ୍ଷେତ୍ରରେ ୨.୧% ହ୍ରାସ ପରିଲକ୍ଷିତ ହୋଇଛି। ସେହିଭଳି ବଣ୍ଡ କାରବାର ପ୍ରଭାବିତ ସ୍ଥିତିରେ ରହିଛି।
ଲକ୍‌ଡାଉନ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି। ସ୍ମଲ କ୍ୟାପ୍‌ରେ ଶେୟାର କାରବାର ଗଭୀର କ୍ଷତିଗ୍ରସ୍ତ ହୋଇଥିବାର ନଜରକୁ ମଧ୍ୟ ଆସିଛି। ମାତ୍ର ଭାକ୍‌ସିନ ଆସିବା ନେଇ ଆଶା ବଢିଥିବାରୁ ଆର୍ଥତ୍କ ଅଭିବୃଦ୍ଧି ଉନ୍ନତ ହେବ ବୋଲି ନିବେଶକ ବିଚାରକୁ ନେଲେଣି। ଫଳରେ ଷ୍ଟକ୍‌ ବଜାରରେ ନିବେଶ ବୃଦ୍ଧି ପାଉଥିବା ଦେଖାଯାଉଛି। ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ବାଇଡେନ୍‌ ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ନୂଆ କରୋନା ଭାଇରସ୍‌ ଟାସ୍କଫୋର୍ସ ସମ୍ପର୍କରେ ଘୋଷଣା କରିଛନ୍ତି। ଆମେରିକାର ଅର୍ଥ ବିଶେଷଜ୍ଞ ଆନ୍ଥୋନି ଫକି କହିଛନ୍ତି, ପି-ଫିଜର ଦ୍ୱାରା ବିକଶିତ ହେଉଥିବା ଭାକ୍‌ସିନ ନେଇ ବଜାର ବିଶେଷ ଆଶାବାଦୀ ରହିଛି। ଅପରପକ୍ଷରେ ଏଭଳି ପ୍ରମୁଖ କାରଣ ଲାଗି ଷ୍ଟକ୍‌ ବଜାରର ଅନେକ କ୍ଷେତ୍ରରେ ଲାଭ ଦେଖିବାକୁ ମିଳିଛି ବୋଲି ଇ-ଟ୍ରେଡ୍‌ ଫାଇନାନ୍ସ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ କ୍ରିସ୍‌ ଲାର୍କିନ ସୂଚନା ଦେଇଛନ୍ତି।

Share