Categories: ବାଣିଜ୍ୟ

ବଜାରରୁ ୧୦ ହଜାର କୋଟି ଋଣ କରିବେ ରାଜ୍ୟ

ନୂଆଦିଲ୍ଲୀ:ବଜାରରୁ ଅତିରିକ୍ତ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ କରିବା ଲାଗି କେନ୍ଦ୍ର ସରକାର ୫ ରାଜ୍ୟକୁ ଅନୁମତି ପ୍ରଦାନ କରିଛନ୍ତି। ଖୋଲା ବଜାରରୁ ୯୯୧୩ କୋଟି ଋଣ ଏହି ରାଜ୍ୟଗୁଡିକ ଉଠାଣ କରିବେ ବୋଲି ଗୁରୁବାର ଜଣାପଡିଛି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଗୋଆ, କର୍ନାଟକ ଏବଂ ତ୍ରିପୁରା ଏହି ତାଲିକାରେ ରହିଛନ୍ତି। ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ସିଷ୍ଟମ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ହାତକୁ ନେବାରେ ଏହି ରାଜ୍ୟଗୁଡିକ ପ୍ରମୁଖ ସ୍ଥାନରେ ରହିଥିବାରୁ କେନ୍ଦ୍ର ପକ୍ଷରୁ ଏଭଳି ଅନୁମତି ପ୍ରଦାନ କରାଯାଇଛି। ଏହାଦ୍ୱାରା କର୍ନାଟକ ୪,୫୦୯ କୋଟି, ଆନ୍ଧ୍ର ପ୍ରଦେଶ ୨୫୨୫ କୋଟି, ତେଲଙ୍ଗାନା ୨୫୦୮ କୋଟି, ଗୋଆ ୨୨୩ କୋଟି ଏବଂ ତ୍ରିପୁରା ୧୪୮ କୋଟି ଋଣ କରିବ। କରୋନା ମହାମାରୀ ଯୋଗୁ ରାଜ୍ୟଗୁଡିକର ଖର୍ଚ୍ଚ ବଢିଛି। ରାଜ୍ୟଗୁଡିକ ସେମାନଙ୍କ ମୋଟ ରାଜ୍ୟ ଘରୋଇ ଉତ୍ପାଦର ୨% ଋଣ କରିବା ନେଇ ଚଳିତ ବର୍ଷ ମେ ମାସରେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବେ। ଏହାଦ୍ୱାରା ରାଜ୍ୟ ମୋଟ ୪.୨୭ ଲକ୍ଷ କୋଟି ଟଙ୍କାର ଋଣ ଉଠାଣ କରିବାକୁ ସକ୍ଷମ ହେବେ ବୋଲି ଜଣାପଡିଛି।

Share