ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ସାତଟି ରାଜନୈତିକ ଦଳ ଗୁରୁବାର ଏକ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିଲେ। କଲେଜ, ସ୍କୁଲ, ଦୋକାନ ବଜାର , ପେଟ୍ରୋଲ ପମ୍ପ, ଗାଡି ମଟର ଆଦି ବନ୍ଦ ରହିଥିଲା। ଯାହାକୁ ନେଇ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡିଥିଲା। ନିରାପତ୍ତା କାରଣରୁ ରାଜ୍ୟରେ ଥିବା ପ୍ରାୟ ୩,୦୦୦ ପେଟ୍ରୋଲ ପମ୍ପ ସକାଳ ୬:୦୦ରୁ ସଂଧ୍ୟା ୬:୦୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। କିନ୍ତୁ ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ଜରୁରୀ ସେବା ଖୋଲା ରହିଥିଲା। ଅତ୍ୟାବଶ୍ୟକୀୟ ଜିନିଷ ଓ ସୁବିଧାଗୁଡ଼ିକୁ କାର୍ଯ୍ୟକ୍ଷମ ରହିଥିଲା । ଆପଣ ଜାଣନ୍ତି କି ଗୋଟିଏ ଦିନର ଓଡିଶା ବନ୍ଦ ଯୋଗୁଁ ରାଜ୍ୟ କେତେ କ୍ଷତି ସହିଛି? ଓଡ଼ିଶା ବନ୍ଦ ପାଇଁ ପ୍ରାୟ ହଜାରେରୁ ୧୫ଶହ କୋଟି କ୍ଷତି ହୋଇଥିବା କୁହାଯାଉଛି। ଗୋଟିଏ ଦିନ ବନ୍ଦରେ ରାଜ୍ୟ ଉପରେ ବଡ ବୋଝ ପଡିଛି। ବୁଧବାର ବାଲେଶ୍ୱର ବନ୍ଦ ଓ ଗୁରୁବାର ଓଡିଶା ବନ୍ଦ ଯୋଗୁଁ ହୋଇଥିବା ଏହି କ୍ଷତିର ଆକଳନକୁ ପାଖାପାଖି ୧୫ଶହ କୋଟି ବୋଲି ଧରାଯାଇଛି । ଯଦି ବାର୍ଷିକ ହିସାବ କରାଯାଏ ତେବେ ବର୍ଷକୁ ୧୦ ଲକ୍ଷ କୋଟିର GSDP ଆସିଥାଏ । ଦିନକୁ ଏହା ଅଢେଇ ହଜାର କୋଟି ହୋଇଥାଏ । ଗୋଟିଏ ବନ୍ଦ ଯୋଗୁ ପ୍ରାୟ ୩୦ ରୁ ୪୦ ପ୍ରତିଶତ କ୍ଷତି ସହିବାକୁ ପଡ଼ିଥାଏ ।


