ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ) ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅନୁମୋଦନ କରିଛନ୍ତି। ଏହି ମେଡିକାଲ କଲେଜକୁ ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାକୁ ପରିଚାଳନା କରିବା ବେଳେ ଏମ୍‌ସିଏଲ୍‌ ଏଥିପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବ। ଅନୁଗୋଳ ଓ ଏହାର ଆଖପାଖ ଜିଲା ପାଇଁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ। ରାଜ୍ୟରେ ସ୍ବାସ୍ଥ୍ୟ ସେବା ଶିକ୍ଷାକୁ ଦୃଢ଼ୀଭୂତ କରିବା ଦିଗରେ ରାଜ୍ୟ ସରକାରଙ୍କ ଏହା ଆଉ ଏକ ଉଦ୍ୟମ।
ଏହି ମେଡିକାଲ କଲେଜ ଚଳାଇବା ଏବଂ ଏଷ୍ଟାବ୍ଲିଶମେଣ୍ଟ ଖର୍ଚ୍ଚ ଏମ୍‌ସିଏଲ୍‌ ବହନ କରିବ। ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୦ ଏକର ଜମିରେ ଏମ୍‌ସିଏଲ୍‌ ଏହି ମେଡିକାଲ କଲେଜ ନିର୍ମାଣ କରିଛି। ପ୍ରତ୍ୟେକ ବର୍ଷ ଏହି ମେଡିକାଲ କଲେଜରେ ୧୦୦ ସିଟ୍‌ରେ ନାମଲେଖା ହେବ। ଏଥିସହିତ ୫୦୦ ଶଯ୍ୟା ଚିକିତ୍ସା ସୁବିଧା ରହିବ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲକୁ ସରକାରୀ ଓ ଘରୋଇ ଭାଗୀଦାରି(ପିପିପି) ସହାୟତାରେ ଚଳାଇବାକୁ ଏମ୍‌ସିଏଲ୍‌ ନିଷ୍ପତ୍ତି ନେଇଥିଲା। ତେବେ ପରବର୍ତ୍ତୀ ସମୟରେ ମେଡିକାଲ କଲେଜକୁ ଚଳାଇବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏହି ଆଲୋଚନା ପରେ ଏମ୍‌ସିଏଲ୍‌ ପକ୍ଷରୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚଳାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ନେଇ ବାଦବିବାଦ ଲାଗି ରହିଥିବା ବେଳେ ଶେଷରେ ରାଜ୍ୟ ସରକାର ଏହାର ପରିଚାଳନା ଭାର ନେଇଛନ୍ତି। ଏହାର ପରିଚାଳନା ଓ ପ୍ରଶାସନିକ ବାବଦରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୦ ଏକର ଜାଗା ଯୋଗାଇ ଦେବା ସହ ସମସ୍ତ ସହଯୋଗ କରିଥିଲେ। ୨୦୧୫ରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫୦୦କୋଟି ଟଙ୍କା ବ୍ୟୟରେ ଏହି ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।