ଜଳାଭାବର ପଦଧ୍ୱନି

ଶେଖ୍‌ ଫରିଦ୍‌ଉଦ୍ଦିନ

ନିଦାଘ ଗ୍ରୀଷ୍ମର ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି। ତାପମାତ୍ରା ଏବେ ଊର୍ଦ୍ଧ୍ୱମୁଖୀ। ରାଜ୍ୟର ଅନେକ ସ୍ଥାନରେ ପାରଦ ଚାଳିଶ ଡିଗ୍ରୀ ସେଲ୍‌ସିୟସ ଡେଇଁ ସାରିଲାଣି । ଖରାର ତାତି ସହ ରାଜ୍ୟ ଓ ଦେଶର ବହୁ ସ୍ଥାନରେ ଜଳାଭାବ ବିଷୟ ଖବର କାଗଜର ଶିରୋନାମା ଦଖଲ କରୁଛି। ଜଳାଭାବ ଏ ବର୍ଷ ଏକ ବ୍ୟତିକ୍ରମ ନୁହେଁ । ପ୍ରତିବର୍ଷ ଗ୍ରୀଷ୍ମରେ ଦେଶ ଓ ରାଜ୍ୟର ଅନେକ ସ୍ଥାନରେ ପାଣିର ଏମିତି ତିରୋଟ ଦେଖାଯାଏ। ଏପରି କି କେତେକ ସ୍ଥାନରେ ଏକପ୍ରକାର ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥାଏ । ପାଣି ପାଇଁ ହାହାକାର ପଡ଼େ। ସେହି ସମୟରେ ଜଳାଭାବ ନେଇ ବେଶ୍‌ ହୋ-ହଲ୍ଲା ହୁଏ । ତତ୍କାଳିକ ନ୍ୟାୟରେ କେଉଁଠି ଟ୍ୟାଙ୍କରରେ ତ ଆଉ କେଉଁଠି ରେଳରେ ପାଣି ଅଣାଯାଇ ସମସ୍ୟାର ସାମୟିକ ସମାଧାନ କରାଯାଏ। ଚକେ ଗଲେ ବାର ହାତ ନ୍ୟାୟରେ ତା’ପରେ ସମସ୍ୟାକୁ ସମସ୍ତେ ଭୁଲି ଯାଆନ୍ତି। ସମସ୍ୟା ଯେଉଁଠିକୁ ସେଇଠି ରହିଯାଏ । ସମସ୍ୟାର ଦୀର୍ଘମିଆଦୀ ସମାଧାନ ଲାଗି ପଦକ୍ଷେପ ନିଆଯାଏ ନାହିଁ ।
ପୁଣି ପରବର୍ତ୍ତୀ ବର୍ଷ ସମସ୍ୟାର ପୁନରାବୃତ୍ତି ଘଟେ। ତେବେ ଜଳ ସମସ୍ୟା ପ୍ରତି ଏ ପ୍ରକାର ଉଦାସୀନତା ଦେଶ ପାଇଁ ଅଦୂର ଭବିଷ୍ୟତରେ ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇପାରେ। ଏ ଗୁରୁତର ସମସ୍ୟା ପ୍ରତି ଉଭୟ ସରକାର ଓ ଜନତା ଯଦି ସଚେତନ ନ ହୁଅନ୍ତି ଓ ଜଳ ସମ୍ପଦର ଉଚିତ ବିନିଯୋଗ ପାଇଁ ସୁଚିନ୍ତିତ ପଦକ୍ଷେପ ନିଆ ନ ଯାଏ ତେବେ ଭାରତ ଏକ ଗୁରୁତର ଜଳ ସଙ୍କଟ ଆଡ଼କୁ ଠେଲି ହୋଇଯିବା ଆଶଙ୍କା ରହିଛି।
ଚଳିତ (ମାର୍ଚ୍ଚ ୨୨ତାରିଖ) ବିଶ୍ୱ ଜଳ ଦିବସ ପାଳନ ପୂର୍ବରୁ ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଆସନ୍ନ ଜଳସଙ୍କଟ ସମ୍ପର୍କରେ ଚେତାବନୀ ଦିଆଯାଇଛି। ଜାତିସଂଘ ରିପୋର୍ଟ ଅନୁଯାୟୀ ଆଗାମୀ ୨୦୨୫ସୁଦ୍ଧା ବିଶ୍ୱର ପ୍ରାୟ ୩୪୦କୋଟି ଲୋକ ଉତ୍କଟ ଜଳ ସଙ୍କଟର ସମ୍ମୁଖୀନ ହେବେ। ଗୋଟିଏ ଦଶନ୍ଧି ପରେ ଜଳ ସଙ୍କଟ ଭୋଗିବାକୁ ଯାଉଥିବା ଏହି ୩୪୦କୋଟି ବିଶ୍ୱବାସୀଙ୍କ ମଧ୍ୟରେ ଏହି ସିଂହଭାଗ ଭାରତୀୟ।
ଭୂପୃଷ୍ଠ ଓ ଭୂତଳ ଜଳର ଅବିଚାରିତ ବ୍ୟବହାର, ଜଳ ପ୍ରଦୂଷଣ ଏବଂ ପାଣିପାଗ ପରିବର୍ତ୍ତନର ମିଳିତ ପ୍ରଭାବ ଭାରତ ପାଇଁ ଏକ ଉତ୍କଟ ଜଳ ସଙ୍କଟ ସୃଷ୍ଟି କରିବ ବୋଲି ରିପୋର୍ଟରେ ସତର୍କ କରି ଦିଆଯାଇଛି ।
ଅଭ୍ୟାସଗତ ପୁରୁଣା ଖାମଖିଆଲି ମନୋଭାବର ବଶବର୍ତ୍ତୀ ହୋଇ ଜାତିସଂଘର ଏହି ସତର୍କବାଣୀକୁ ଅଣଦେଖା କରିବା ଭାରତ ପାଇଁ ଆତ୍ମଘାତୀ ହେବ। ୨୦୧୨ଜଳ ନୀତିରେ ଦେଶର ଜଳସମ୍ପଦ ସଂକ୍ରାନ୍ତ ଉଲ୍ଲିଖିତ ତଥ୍ୟରୁ ଏହା ସ୍ପଷ୍ଟ ଯେ ଜାତିସଂଘ ଚେତାବନୀରେ ଲେଶମାତ୍ର ଅତିରଞ୍ଜନ ନାହିଁ । ବିଶ୍ୱର ମୋଟ ଲୋକସଂଖ୍ୟାର ୧୮ ପ୍ରତିଶତ ଭାରତୀୟ। ଅଥଚ ବିଶ୍ୱର ସମୁଦାୟ ଜଳସମ୍ପଦର ମାତ୍ର ୪ ଭାଗ ଭାରତରେ। ଲୋକସଂଖ୍ୟା ଓ ଜଳସମ୍ପଦ ଭିତରେ ଏ ବିଷମତା ଛାଏଁ ଏକ ନିଅଣ୍ଟିଆ ପରିସ୍ଥିତିର ସଙ୍କେତ ଦେଉଛି। ଏହା ଉପରେ ଜନସଂଖ୍ୟା ବୃଦ୍ଧି ଜଳସମ୍ପଦ ଉପରେ ଅଧିକ ଚାପ ପକାଉଛି। କ୍ରମାଗତ ଲୋକସଂଖ୍ୟା ବୃଦ୍ଧି ଫଳରେ ଦେଶର ମୁଣ୍ଡପିଛା ଉପଲବ୍ଧ ଜଳ ପରିମାଣ ହ୍ରାସ ପାଇ ଚାଲିଛି । ୧୯୫୧ରେ ମୁଣ୍ଡପିଛା ଉପଲବ୍ଧ ଜଳ ପରିମାଣ ୫୧୭୭ ଘନମିଟର ଥିବାବେଳେ ୨୦୦୧ ବେଳକୁ ତାହା ୧୮୨୦ ଘନମିଟରକୁ କମି ଆସିଛି ।
ଆଗାମୀ ୨୦୨୫ସୁଦ୍ଧା ଏହା ଆହୁରି ହ୍ରାସ ପାଇ ୧୩୪୧ ଘନମିଟରକୁ ଖସିଆସିବ। ଅନ୍ୟପକ୍ଷରେ କୃଷିକ୍ଷେତ୍ରରେ ଜଳସେଚନର ଚାହିଦା ବୃଦ୍ଧି ଏବଂ ସହରୀକରଣ ଫଳରେ ମୁଣ୍ଡପିଛା ଜଳ ବ୍ୟବହାର ପରିମାଣ ଲଗାତର ବୃଦ୍ଧି ପାଉଛି । ଯାହା ନିଅଣ୍ଟିଆ ପରିସ୍ଥିତିକୁ ଅଧିକ ଉତ୍କଟ କରୁଛି । ଦେଶର ହାରାହାରି ବାର୍ଷିକ ବୃଷ୍ଟିପାତ ପରିମାଣ ୧୧୭୦ମିଲିମିଟର। ଏହା ବେଶ୍‌ ସନ୍ତୋଷଜନକ। କିନ୍ତୁ ବର୍ଷା ଜଳର ଏକ ବୃହତ୍‌ ଭାଗ କୌଣସି ଉପଯୋଗ ହୋଇପାରୁନାହିଁ ।
୬୫ପ୍ରତିଶତ ବର୍ଷା ଜଳ ସମୁଦ୍ରକୁ ବୋହିଯାଇ ନଷ୍ଟ ହେଉଛି । ଶିଳ୍ପାନୁଷ୍ଠାନ ଓ ପୌରାଞ୍ଚଳର ବ୍ୟବହୃତ ଉଦ୍‌ବୃତ୍ତ ଜଳର ୯୦ ପ୍ରତିଶତ ବିନା ବିଶୋଧନରେ ନଦୀରେ ଛାଡ଼ି ଦିଆଯାଉଛି, ଯାହା ବ୍ୟାପକ ପ୍ରଦୂଷଣର କାରଣ । ଜଳ ପ୍ରଦୂଷଣ ଅର୍ଥ ଜଳ ନଷ୍ଟ ।
ଜଙ୍ଗଲ କ୍ଷୟ ଏବଂ ମାତ୍ରାଧିକ ଜଳ ଉତ୍ତୋଳନ ଯୋଗୁ ଦେଶର ଅନେକ ସ୍ଥାନରେ ଭୂତଳ ଜଳର ସ୍ତର ଲଗାତର ନିମ୍ନଗାମୀ ହେବାରେ ଲାଗିଛି ।
ଉପରୋକ୍ତ ତଥ୍ୟରେ ଜଳ ସଙ୍କଟର ପଦଧ୍ୱନି ସ୍ପଷ୍ଟ ବାରି ହେଉଛି। ତେବେ ଏ ସଙ୍କଟର ସମାଧାନର ଉପାୟ କ’ଣ? ଏ ସଙ୍କଟର ମୁକାବିଲା ପାଇଁ ଏକ ତିନିସୂତ୍ରୀ ରଣକୌଶଳ ଅନିବାର୍ଯ୍ୟ। ପ୍ରଥମ ବର୍ଷାଜଳର ସଂରକ୍ଷଣ, ଦ୍ୱିତୀୟ ଜଳ ପ୍ରଦୂଷଣର ନିୟନ୍ତ୍ରଣ ଏବଂ ତୃତୀୟ ଶିଳ୍ପ, କୃଷି ଓ ଘରୋଇ ବ୍ୟବହାରରେ ମିତବ୍ୟୟିତା ତଥା ସଂରକ୍ଷଣ ସକାଶେ ପ୍ରୋତ୍ସାହନ। ଦେଶରେ ସାଧାରଣତଃ ଚାରିମାସ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ହୁଏ । ବର୍ଷା ଜଳକୁ ଗଚ୍ଛିତ କରି ରଖିବା ଲାଗି ଆବଶ୍ୟକ ବ୍ୟବସ୍ଥା ନାହିଁ। ଫଳରେ ୬୫ ପ୍ରତିଶତ ପାଣିର କୌଣସି ବିନିଯୋଗ ହୋଇପାରୁ ନାହିଁ।
ନଷ୍ଟ ହୋଇଯାଉଥିବା ଏହି ପାଣିର ସଂରକ୍ଷଣ ସକାଶେ ଜଳ ଅମଳର ବ୍ୟାପକ ବ୍ୟବସ୍ଥା କରାଯିବା ଉଚିତ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏଥିପାଇଁ ଯୋଜନା କରିବାକୁ ପଡ଼ିବ। ପାରମ୍ପରିକ ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର ଏ ଦିଗରେ ସହାୟକ ହେବ। ଦେଶର ଅଧିକାଂଶ ପୌରାଞ୍ଚଳରେ ବ୍ୟବହାର ପରବର୍ତ୍ତୀ ଉଦ୍‌ବୃତ୍ତ ଜଳର ବିଶୋଧନ ବ୍ୟବସ୍ଥା ନାହିଁ। ଅଧିକାଂଶ ଶିଳ୍ପାନୁଷ୍ଠାନରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଏତେ ଶୋଚନୀୟ ଯେ, ଶିଳ୍ପାନୁଷ୍ଠାନରୁ ଛଡ଼ା ଯାଉଥିବା ଉଦ୍‌ବୃତ୍ତ ଜଳ ବହୁ ସ୍ଥାନରେ ନଦୀ ପାଣିକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର ଅନୁପଯୋଗୀ କରିଦେଉଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆହୁରି ଅଧିକ କଠୋର ବ୍ୟବସ୍ଥା ଗ୍ରହଣ ଏକାନ୍ତ ଜରୁରୀ। ପୌରସଂସ୍ଥା ଏବଂ ଶିଳ୍ପାନୁଷ୍ଠାନରୁ ନିର୍ଗତ ମଇଳା ପାଣିର ବିଶୋଧନ ଏବଂ ଏହାକୁ ପୁନଃ ବ୍ୟବହାର ଉପଯୋଗୀ କରିବା ଲାଗି ପ୍ରକ୍ରିୟାକରଣ ବାଧ୍ୟତାମୂଳକ କରାଯିବା ବାଞ୍ଛନୀୟ। କୃଷିରେ ଭୂତଳ ଜଳର ବ୍ୟବହାର ଯଥାସମ୍ଭବ କମାଇବା ଲାଗି ପଦକ୍ଷେପ ନିଆଯିବା ଆବଶ୍ୟକ। ରାତାରାତି, ମାସକରେ କି ବର୍ଷକରେ ଏହା ସମ୍ଭବ ନୁହେଁ। କିନ୍ତୁ ଆଜିଠୁ ଯୋଜନା କରି କାର୍ଯ୍ୟ ଆରମ୍ଭ ନ କଲେ ହୁଏତ ଆସନ୍ତାକାଲି ବହୁତ ବିଳମ୍ବ ହୋଇଯିବ।
ମଧୁପୁର, ମାହାଙ୍ଗା, କଟକ, ମୋ:୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri