ମୁଖ୍ୟ ରାସ୍ତା ଚକାଚକ୍‌, ବସ୍ତିରେ ଆବଡ଼ାଖାବଡା

ରାଉରକେଲା,୨୩।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ବିଭିନ୍ନ ବସ୍ତି ଅଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସହରର ମୁଖ୍ୟ ରାସ୍ତାଗୁଡିକ ଚକାଚକ୍‌ ହୋଇଥିବା ବେଳେ ଗଳିକନ୍ଦି ରାସ୍ତାକୁ ମରାମତି କରାଯାଉନାହିଁ। ଫଳରେ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।
ବସ୍ତି ବାସିନ୍ଦାଙ୍କ କହିବା ମୁତାବକ, ଆର୍‌ଏମ୍‌ସି ଅଧୀନ ୪୦ଟି ଓ୍ବାର୍ଡରେ ମୋଟ ୧୩୨ ବସ୍ତି ଅଞ୍ଚଳ ରହିଛି। ସେଥିମଧ୍ୟରୁ ୬୦ଭାଗ ବସ୍ତିରେ କିଛି ବିକାଶ ମୂଳକ କାର୍ଯ୍ୟ ହୋଇଥିବା ବେଳେ ଓ୍ବାର୍ଡ ନଂ-୬ ବାଲୁଘାଟ, ରୂପଟୋଲା, ମନୀ କଲୋନୀ, ବଙ୍ଗଳାଟୋଲା, ଓ୍ବାର୍ଡ ନଂ-୧୬ ଦୁର୍ଗାପୁର, ଓ୍ବାର୍ଡ ନଂ-୧୯ ମାଲଗୋଦାମ ଆଦି ବସ୍ତିରେ ସେଭଳି ଉନ୍ନୟନମୂଳକ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହେଉଛି। ବସ୍ତିର ରାସ୍ତାଘାଟ ଦୀର୍ଘବର୍ଷ ହେଲା ମରାମତି ହେଉନାହିଁ। ରାସ୍ତାଘାଟରେ ମାସ ମାସ ଧରି ଅଳିଆ ଆବର୍ଜନା ରହୁଥିବା ବେଳେ ସଫେଇ ହେଉନି। ଡ୍ରେନେଜଗୁଡିକରୁ ଅଳିଆ ଆବର୍ଜନା ହଟାଯାଉନାହିଁ। ସହରର ମୁଖ୍ୟ ରାସ୍ତାଗୁଡିକ ଚକାଚକ୍‌ ରହୁଥିବା ବେଳେ ବସ୍ତି ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ବାଲୁଘାଟ ବସ୍ତି ଅଞ୍ଚରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବାବେଳେ ବସ୍ତିର ଗଳିକନ୍ଦିକୁ ଯାଇଥିବା ରାସ୍ତାଘାଟ ଆବଡାଖାବଡା ହୋଇପଡିଛି। ସେହିପରି ଦୁର୍ଗାପୁର ପାହାଣ୍ଡଟୋଲୀ ଅଞ୍ଚଳର ରାସ୍ତାଘାଟରୁ କଂକ୍ରିଟ ଉଠିଯାଇଥିବା ବେଳେ ଯାତାୟାତରେ ସମସ୍ୟା ହେଉଛି। ପାନପୋଷ ପୋଷ୍ଟମର୍ଟମ କେନ୍ଦ୍ର ଆଗରୁ ନମାଜ ହଜ୍‌କୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇଛି। ଏ ନେଇ ରାଉରକେଲା ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ,୧୩୨ଟି ବସ୍ତିର ସମସ୍ତ ରାସ୍ତା ବିଜୁ ଆଦର୍ଶ କଲୋନୀ ଯୋଜନାରେ ସାମିଲ ହୋଇଛି। ଅଧିକାଂଶ ବସ୍ତିର ସାମଗ୍ରିକ ବିକାଶ ବିଜୁ ଆଦର୍ଶ କଲୋନୀ ଯୋଜନା ମାଧ୍ୟମରେ ହୋଇିଛି। କିଛି ବସ୍ତିର ରାସ୍ତା କାମ ବାକି ରହିଛି । ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ତୁରନ୍ତ ଜାଗା ମିଶନ ଅଧୀନରେ ବସ୍ତିଗୁଡିକରେ ବିକାଶ ମୂଳକ କାର୍ଯ୍ୟ ହେବ। ଆରଏମସିର ବାର୍ଷିକ ବଜେଟର ୨୫ପ୍ରତିଶତ ଅର୍ଥ କେବଳ ବସ୍ତି ମାନଙ୍କର ବିକାଶ ପାଇଁ ଖର୍ଚ୍ଚ ହେଉଛି।ଏଣୁ ଆଗକୁ ଉକ୍ତ ବସ୍ତି ଗୁଡିକର ରାସ୍ତାଘାଟ ସହ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ମହାପାତ୍ର କହିଥିଲେ।