ସାମ୍ନାକୁ ଆସିଲା କୋଭିଡ ହସ୍ପିଟାଲର ଅବ୍ୟବସ୍ଥା

ଅହମଦାବାଦ,୨୩।୭: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ଫଳପ୍ରଦ ହେଉଛି ତା’ର ତଦାରଖ କରିବା ପାଇଁ କେହି ନାହାନ୍ତି। ହେଲେ କରୋନା ସଙ୍କଟରେ ଗୁଜରାଟରୁ ଆସିଥିବା ଏକ ଭିଡିଓ ଏବେ ସରକାରଙ୍କ ଚିରାଚରିତ ଚେହେରା ଓ ହସ୍ପିଟାଲର ଅବ୍ୟବସ୍ଥା ସ୍ବାସ୍ଥ୍ୟସେବାର ଭଦ୍ରମୁଖା ଖୋଲିଦେଇଛି। ସୂଚନାଯୋଗ୍ୟ, ସୁରଟ ମହାନଗରପାଳିକା ଦ୍ୱାରା ପରିଚାଳିତ ହେଉଥିବା ସ୍କିମେର ହସ୍ପିଟାଲରେ କରୋନା ରୋଗୀଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ହସ୍ପିଟାଲରେ ହଁସମୁଖ ବାଘମସି ନାମକ ଜଣେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୩-୪ ଦିନ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରେ ଲାଗିଛି। କିନ୍ତୁ ତାଙ୍କୁ ଠିକ୍‌ରେ ଚିକିତ୍ସା ଦିଆଯାଉ ନ ଥିବା ନେଇ ସେ ଏକ ଭିଡ଼ିଓ ଜରିଆରେ ଅଭିଯୋଗ କରିଛନ୍ତି। ଉକ୍ତ ଭିଡିଓରେ ହଁସମୁଖ ମାସ୍କ ଲଗାଇବା ସହ ହାତ ଯୋଡ଼ି ପରିବାର ଲୋକଙ୍କୁ ନିବେଦନ କରି କହିଛନ୍ତି, ଏଠାରୁ ମୋତେ ଶୀଘ୍ର ବାହାର କର ନ ହେଲେ ମରିଯିବି। ଏନେଇ ତାଙ୍କ ବଡ଼ ଭାଇ ପ୍ରତିକ୍ରିୟା ଦେଇଛନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ହଁସମୁଖଙ୍କୁ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇବା ସମ୍ଭବପର ନୁହେଁ। ତେଣୁ ଏଥିପ୍ରତି ଯଦି ସରକାର ଦୃଷ୍ଟି ଦିଅନ୍ତେ ତେବେ ଆମେ ଚିରରୁଣୀ ହୋଇ ରହିବୁ ବୋଲି ହଁସମୁଖଙ୍କ ବଡ଼ ଭାଇ କହିଛନ୍ତି। ଅନ୍ୟପଟେ ଏହି ଭିଡିଓକୁ ନେଇ ସୁରଟ ମହାନଗର ପାଳିକା କମିଶନର ନିଜର ସଫେଇ ରଖିଛନ୍ତି। ତାଙ୍କ ଟିମ୍‌ ହସ୍ପିଟାଲରେ ରୋଗୀମାନଙ୍କର ଭଲଭାବେ ଦେଖାଶୁଣା କରୁଛନ୍ତି ଏବଂ ଯେପରି କୌଣସି ଅଭିଯୋଗ ନ ଆସେ ସେଥିପ୍ରତି ଯତ୍ନବାନ ମଧ୍ୟ ରହିଛନ୍ତି ବୋଲି ମହାନଗର ପାଳିକା କମିଶନର କହିଛନ୍ତି।

Share