ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ସାପ୍ତାହିକ ହାଟର ଦିତୀୟପାଳିରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଉକ୍ତ ହାଟରେ ସ୍ଥାନୀୟ ବ୍ୟବସାୟୀ, ପନିପରିବା ଚାଷୀଙ୍କ ଉପସ୍ଥିତି ରହିଥିବା ବେଳେ ପଡୋଶୀ ରାଇକିଆ ବ୍ଲକରୁ ଏକାଧିକ ମହିଳା ଚାଷୀ ନିଜ ପନିପରିବା, ଆଳୁ, ପିଆଜ, ରଶୁଣ, ଲଙ୍କା ଭଳି ସାମଗ୍ରୀ ଆଣି ହାଟରେ ଭଲ ବିକ୍ରି କରିଛନ୍ତି। ସେହିପରି ଗଞ୍ଜାମ ସୋରଡ଼ା ଓ ସ୍ଥାନୀୟ ମାଛ, ଶୁଖୁଆ ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ପ୍ରକାର ମାଛ, ଶୁଖୁଆ ଆଣି ଲୋକଙ୍କୁ ବଜାର ଦରଠାରୁ କମ୍ ଦରରେ ଖୁଚୁରା ବିକ୍ରି କରୁଥିବା ଜଣାପଡ଼ିଛି। ସେହିପରି କୃଷକଙ୍କ ପାଇଁ ବିଭିନ୍ନ ସାମଗ୍ରୀକୁ ବ୍ୟବସାୟୀମାନେ ବିକ୍ରିପାଇଁ ଆଣିଥିବା ଜଣାପଡ଼ିଛି ଗତ ମଙ୍ଗଳବାର ଏହି ହାଟ ଆରମ୍ଭ ହୋଇଥିବା ବେଳେ ଚଳିତ ଥର ଭଲ ବ୍ୟବସାୟୀ ହୋଇଥିବା ସହ ବଜାରରେ ରହିଥିବା ବିଭିନ୍ନ ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଉକ୍ତ ହାଟରେ ସିମନବାଡ଼ି ସମେତ ଶ୍ରାନିକେତା, ପର୍ତ୍ତମାହା, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, ପକାରୀ ଆଦି ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମିଥିଲା।
ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ପରେ ନିର୍ଭରଯୋଗ୍ୟ ବଜାର ହେଉଛି ସିମନବାଡ଼ି ଯେଉଁଠିକି ବହୁ ପଞ୍ଚାୟତବାସୀ ନିର୍ଭର କରନ୍ତି ଏବେ ଦୀର୍ଘ ୪୦ ବର୍ଷ ଉକ୍ତ ସାପ୍ତାହିକ ହାଟ ବନ୍ଦ ହୋଇ ରହିଥିଲା। ପୁଣି ଖୋଲିବାରୁ ଲୋକଙ୍କ ଭିଡ଼ ଓ ଆଗ୍ରହ ଦେଖିବାକୁ ମିଳିଛି।
Dharitri – Odisha’s No.1 Odia Daily


