ବାରାକ୍‌ରେ ମଦ ପିଇ ଏସ୍‌ଆଇ ନିଲମ୍ବିତ

ନାଉଗଁା,୨୨।୧୦(ସ୍ବ.ପ୍ର.):ଥାନା ବାରାକରେ ମଦ୍ୟପାନ କରିବା ଜଣେ ପୋଲିସ ଏସ୍‌ଆଇଙ୍କ ପାଇଁ ମହଙ୍ଗା ପଡ଼ିଛି। ସମ୍ପୃକ୍ତ କର୍ମଚାରୀ ମଦ୍ୟପାନ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଏସ୍‌ଆଇ ହେଲେ ଜଗତ୍‌ସିଂହପୁର ଜିଲା ନାଉଗଁା ଥାନାର ବିବେକାନନ୍ଦ ସାହୁ। ସେ ଖୁଲମଖୁଲା ଭାବେ ଥାନା ବାରାକରେ ବସି ତାଙ୍କର ଜଣେ ସାଥୀଙ୍କ ସହ ମଦ୍ୟପାନ କରୁଥିଲେ। ଏଥିସହିତ ଚୋରାମଦ ବେପାରୀଙ୍କ ସହ ସମ୍ପର୍କ ରଖି ମଦ ଓ ମାଂସ ଆଦି ମାଗିବା ନେଇ ଏକ ଅଡିଓ ଓ ଫଟୋ ସୋସିଆଲ ମିଡିଆରେ ମଙ୍ଗଳବାର ଭାଇରାଲ ହୋଇଥିଲା। ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍‌ଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ପ୍ରିୟରଞ୍ଜନ ମିଶ୍ର ତଦନ୍ତ ପାଇଁ ବୁଧବାର ନାଉଗଁା ଥାନାରେ ପହଞ୍ଚଥିଲେ। ତଦନ୍ତ ପରେ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ଏସଆଇ ସାହୁଙ୍କୁ ନିଲମ୍ବନ କରାଯାଇଛି।
ପ୍ରକାଶଯୋଗ୍ୟ, ଉକ୍ତ ଏସଆଇ ଯେବେ ଡାଏରି ଚାର୍ଜ ଅଫିସର(ଡିସିଓ) ଦାୟିତ୍ୱରେ ରୁହନ୍ତି, ସତେବେଳେ ଯେଉଁ ଅଭିଯୋଗ ଗ୍ରହଣ କରନ୍ତି ତାହାର ଅପରପକ୍ଷକୁ ଡକାଇ କାଉଣ୍ଟର ଏତଲା କରିବା ସହିତ ମୋଟା ଅଙ୍କର ଉତ୍କୋଚ ନେଇଥାନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ଉକ୍ତ ଥାନା ଅଞ୍ଚଳରେ ଚୋରା ବାଲି ଚାଲାଣ, ଜୁଆ, ଗଞ୍ଜେଇ ଓ ଚୋରା ମଦ ବେପାରରେ ସମ୍ପୃକ୍ତ ଅଧିକାରୀଙ୍କ ହାତ ଥିବା ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ନିଲମ୍ବିତ ଏସ୍‌ଆଇ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।