ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ପରିଷଦ ସମ୍ପାଦକ ତଥା ଆଇନଜୀବୀ କୁରେଶୁ ପଣ୍ଡାଙ୍କ ସଂଯୋଜନାରେ ଉକ୍ତ ସଭା ଆୟୋଜିତ ହୋଇଥିଲା। ଆସନ୍ତା ଏପ୍ରିଲ ୨୦ ତାରିଖ ବୈଶାଖ ମାସ ଶୁକ୍ଳପକ୍ଷ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ସ୍ମୃତି କମିଟି ପକ୍ଷରୁ କବିସୂର୍ଯ୍ୟଙ୍କ ଜନ୍ମପୀଠ ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗର ଗଡ଼ଠାରେ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ ମହାସମାରୋହରେ ପାଳନ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗୃହୀତ କରାଯାଇଥିଲା।
ସେହିପରି ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନା କରାଯାଇ ଦିଗପହଣ୍ଡି, କୁକୁଡ଼ାଖଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ବହୁବିଧ ବିକାଶ ନିମନ୍ତେ ଗଞ୍ଜାମ ଜିଲା ଗୋପାଳପୁରଠାରୁ ଭାୟା ବାଲିପଡ଼ା, ଦିଗପହଣ୍ଡି, ଭୀଷ୍ମଗିରି ଦେଇ ରାୟଗଡ଼ା ଜିଲା ସିଙ୍ଗାପୁର ଯାଏ ନୂଆ ରେଳ ଲାଇନ ନିର୍ମାଣ, ଜାତୀୟ ଜଳପଥ-୫କୁ ସମ୍ପ୍ରସାରଣ କରି ଭାୟା ଆସିକା, ଦିଗପହଣ୍ଡି ଦେଇ ପ୍ରସ୍ତାବିତ ଚିକିଟି ବାହୁଦା ବନ୍ଦର ସହ ସଂଯୋଗ କରାଯିବା। ଦିଗପହଣ୍ଡିଠାରୁ ଭାୟା ଖମାରିଗାଁ ଉଜ୍ଜଳେଶ୍ୱର ଶୈବପୀଠ ଦେଇ ଗଜପତି ମାଙ୍କଡଡିଆଁ ଜଳପ୍ରପାତ ଠାରୁ ପର୍ଯ୍ୟଟନ କ୍ଷେତ୍ର ମହେନ୍ଦ୍ରଗିରି ଯାଏଁ ପକ୍କାରାସ୍ତା ନିର୍ମାଣ, ସାନଖେମୁଣ୍ଡି ବ୍ଲକ ଶୁଣ୍ଡିପଲ୍ଲୀ ନିକଟରେ ଘୋଡ଼ାହାଡ଼ ନଦୀରେ ବ୍ୟାରେଜ ନିର୍ମାଣ କରି ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ, ଦିଗପହଣ୍ଡି ସହର ଉପକଣ୍ଠ ଦକ୍ଷିଣ ଓ ଉତ୍ତର ପାର୍ଶ୍ୱରୁ ବାଇପାସ ରାସ୍ତା ନିର୍ମାଣ ଆଦି ବିଭିନ୍ନ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା।
ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଦକ୍ଷିଣ ଓଡ଼ିଶା ବିକାଶ ସମିତିର ସଭାପତି ତଥା ଅବସରପ୍ରାପ୍ତ କେନ୍ଦ୍ରୀୟ ପ୍ରଶାସକ ଡ. ବାଳକୃଷ୍ଣ ପଣ୍ଡା, କବି ବୃନ୍ଦାବନ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ସମ୍ପାଦକ ଆଲୋକ ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗବନ୍ଧୁ ମିଶ୍ର, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ପୀତାମ୍ବର ଗୌଡ଼, ପ୍ରଶାନ୍ତ କୁମାର ପାଣି, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ଶିବରାମ ପ୍ରଧାନ, ରବିଚନ୍ଦ୍ର ଗୌଡ଼, ସାମାଜିକ କର୍ମୀ ଶୁଭେନ୍ଦୁ ପାଢ଼ୀ, ସୁଜିତ କୁମାର ତ୍ରିପାଠୀ, ଆଇନଜୀବୀ ନକୁଳ ପ୍ରଧାନ, ପି.ଶିବଶଙ୍କର,ବାଲ୍ମିକୀ ବେହେରା, ତ୍ରିନାଥ ଗୌଡ଼,ସୀମାଞ୍ଚଳ ଗୌଡ଼ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

