ଟିକା ପ୍ରମାଣପତ୍ର ନ ଲଗାଇଲେ ଏଥର ଖୋଲିବନି ଦୋକାନ

ଛତ୍ରପୁର,୨୨।୬(ଡି.ଏନ୍‌.ଏ.): କୋଭିଡର ତୃତୀୟ ଲହରଠାରୁ ବର୍ତ୍ତିବା ପାଇଁ ସମସ୍ତ ଗଞ୍ଜାମ ଜିଲାବାସୀଙ୍କ ଟିକାକରଣ ଜରୁରୀ। ତେଣୁ ଟିକାକରଣ କାର୍ଯ୍ୟକ୍ରମର ସଫଳ ଓ ସଠିକ ପରିଚାଳନା ହେବା ଆବଶ୍ୟକ । ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବା ଆବଶ୍ୟକ। ଏହି ଦିଗରେ ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଦୋକାନୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଟିକା ପ୍ରଦାନ କରାଯିବ । ବ୍ୟବସାୟୀଗଣ ନିଜେ ଟିକା ଗ୍ରହଣ କରିବା ସହ ସେମାନଙ୍କ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟିକା ନେବାକୁ ପରାମର୍ଶ ଦେବେ। ଏହାର ପ୍ରମାଣପତ୍ର ନିଜ ଦୋକାନ ସମ୍ମୁଖରେ ଦର୍ଶାଇବେ ଯେପରି ଗ୍ରାହକ ଦୋକାନୀ ଟିକା ନେଇଥିବା ଜାଣିପାରିବେ । ଯଦି ଦୋକାନୀ ଟିକା ଗ୍ରହଣ କରିଥିବା ପ୍ରମାଣ ପତ୍ର ନିଜ ଦୋକାନ ସମ୍ମୁଖରେ ଲଗାନ୍ତି ନାହିଁ ତେବେ ସେହି ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ।