Categories: ବାଣିଜ୍ୟ

୧୦୨୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୮।୨ ଗତ ୩ ସପ୍ତାହ ହେବ ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏହାର ପ୍ରଭାବ ସିଧାସଳଖ ଶେୟାର ବଜାରର କାରବାର ଉପରେ ପଡୁଥିବା ଦେଖିବାକୁ ମିଳିଛି। ଫଳରେ ଶେୟାର ବଜାରର ନିବେଶକମାନେ ନିରାଶ ହୋଇ ପଡୁଛନ୍ତି। କ୍ରମାଗତ ବଜାର ଶେୟାର ହ୍ରାସ ଯୋଗୁ ନିବେଶକମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି।
ସୋମବାର ବିଏସ୍‌ଇ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ରେ ବେଞ୍ଚମାର୍କ ଇକ୍ୱିଟି ସୂଚକାଙ୍କ ପ୍ରାୟ ୧.୭୫% ହ୍ରାସ ଘଟିଛି। ବିଶେଷ କରି ଦୁର୍ବଳ ବ୍ୟାଙ୍କିଙ୍ଗ ସେବା ସାଙ୍ଗକୁ ଏଫଏମ୍‌ସିଜି ସହିତ ଘରୋଇ ଆର୍ଥିକ ସଂସ୍ଥାଗୁଡ଼ିକର କାରବାର କ୍ରମାଗତ ହ୍ରାସ ପାଇବାରୁ ବଜାର କାରବାର ତଳମୁହଁା ରହିଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୦୨୪ ପଏଣ୍ଟ ହ୍ରାସ ପାଇ ୫୭,୬୨୧ ଅଙ୍କରେ ରହିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟ ୫୦ରେ ୩୦୩ ପଏଣ୍ଟ ଖସି ୧୭,୨୧୪ ଅଙ୍କରେ କାରବାର ଶେଷ କରିଛି। ଫଳରେ ବିଏସ୍‌ଇର ସୂଚନା ଅନୁସାରେ ସେନ୍‌ସେକ୍ସ ୧୦୨୩.୬୩ ପଏଣ୍ଟ (୧.୭୫%) ହ୍ରାସ ଘଟି ୫୭,୬୨୧.୧୯ରେ କାରବାର ଶେଷ କରିଥିବାବେଳେ ନିଫ୍ଟିରେ ମଧ୍ୟ ୩୦୨.୭୦ ପଏଣ୍ଟ (୧.୭୩%) କମି ୧୭,୨୧୩.୬୦ରେ ରହିଥିବା ସୂଚନା ମିଳିଛି। ଜାନୁୟାରୀ ୭ର ବିଏସ୍‌ଇ ସେନ୍‌ସେକ୍ସ ପ୍ୟାକ୍‌ ଉପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୩.୬% ରୁ ଅଧିକ ହ୍ରାସ ପାଇଥିବା ବେଳେ ଲାରସେନ୍‌ ଆଣ୍ଡ ଟୁବ୍ରୋ (ଏଲଆଣ୍ଡଟି), ବଜାଜ ଫାଇନାନ୍ସ ଏବଂ ବଜାଜ ଫିନ୍ସର୍ଭ, ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ୍‌ (ଏଚଡିଏଫସି) ଏବଂ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ କ୍ଷତିରେ ଥିଲାବେଳେ ପାୱାର ଗ୍ରୀଡ୍‌ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ, ଏନ୍‌ଟିପିସି, ଟାଟା ଷ୍ଟିଲ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ) ଏବଂ ଅଲଟ୍ରାଟେକ୍‌ ସିମେଣ୍ଟ ଭଳି ନିବେଶକଗୁଡ଼ିକ ଲାଭରେ କାରବାର ଶେଷ କରିଥିଲା।

Share