Categories: ବାଣିଜ୍ୟ

ନଭେମ୍ବରରେ ଦ୍ୱିତୀୟ ସର୍ବାଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ, ୨।୧୨:  ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ନଭେମ୍ବର ମାସରେ ୨୫ ପ୍ରତିଶତ ବୃ୍‌ଦ୍ଧି ପାଇ ୧.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ ହେବା ଦିନଠାରୁ ଏହା ଦ୍ୱିତୀୟ ସର୍ବାଧିକ ଟିକସ ସଂଗ୍ରହ। ଏହା ପୂର୍ବରୁ ଗତ ଏପ୍ରିଲ୍‌ରେ ସର୍ବାଧିକ ୧.୪୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଥିଲା।
ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଥିବାରୁ ବ୍ୟବସାୟ କାରବାର ସ୍ବାଭାବିକ ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସୁଥିବାର ସୂଚନା ମିଳୁଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କ୍ରମାଗତ ୫ ମାସ ହେଲା ଜିଏସ୍‌ଟିରୁ ରାଜସ୍ବ ସଂଗ୍ରହ ୧ ଲକ୍ଷ କୋଟିରୁ ଅଧିକ ରହିଛି। ଦ୍ୱିତୀୟ ଥର ପାଇଁ ଜିଏସ୍‌ଟି ୧.୩୦ ଲକ୍ଷ କୋଟି ଟପିଥିବାରୁ ମହାମାରୀ ଜନିତ ଖରାପ ସ୍ଥିତିରୁ ଅର୍ଥନୀତି ମୁକ୍ତ ହୋଇଥିବା ସ୍ପଷ୍ଟ ହୋଇଛି।
ନଭେମ୍ବରରେ ମୋଟ ୧,୩୧,୫୨୬ କୋଟି ଟଙ୍କା ଜିଏସ୍‌ଟି ରାଜସ୍ବ ସଂଗ୍ରହ ହୋଇଛି। ସେଥିରୁ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି) ୨୩,୯୭୮ କୋଟି ହୋଇଥିବା ବେଳେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ୩୧,୧୨୭ କୋଟି। ଆଇଜିଏସ୍‌ଟି ବାବଦରେ ୬୬,୮୧୫ କୋଟି ସଂଗ୍ରହ ହୋଇଥିବାବେଳେ ସେଥିରୁ ୩୨,୧୬୫ କୋଟି ଟଙ୍କା ଦ୍ରବ୍ୟ ଆମଦାନୀରୁ ସଂଗୃହୀତ ହୋଇଛି। ସେହିପରି ଦ୍ରବ୍ୟ ଆମଦାନୀରୁ ୬୫୩ କୋଟିକୁ ମିଶାଇ ସେସ୍‌ ବାବଦରେ ୯,୬୦୬ କୋଟି ଟଙ୍କା ସଂଗ୍ରହ ହୋଇଥିବା ଜଣାପଡ଼ିଛି।
ଜିଏସ୍‌ଟି ଅନୁପାଳନରେ ଉନ୍ନତି ପାଇଁ କେତେକ ନୀତିଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯାଇଥିବାରୁ ରାଜସ୍ବ ସଂଗ୍ରହ ବୃଦ୍ଧି ପାଇଥିବା କୁହାଯାଇଛି। ଗତ ବର୍ଷକ ମଧ୍ୟରେ ବ୍ୟବସ୍ଥାଗତ ସାମର୍ଥ୍ୟ ବଢ଼ାଇବା, ରିଟର୍ନ ଦାଖଲର ଶେଷ ତାରିଖ ପରେ ଏହା ଫାଇଲ କରି ନ ଥିବା ଟିକସଦାତାଙ୍କୁ ତାଗିଦ କରିବା, ସ୍ବତଃ ରିଟର୍ନ ଡାଟାବେସ୍‌ ପ୍ରସ୍ତୁତ ଓ ଆକଳନ, ଇ-ଓ୍ବେ ବିଲ୍‌କୁ ଅଟକାଇବା ଆଦି ପଦକ୍ଷେପ ଯୋଗୁ ରାଜସ୍ବ ସଂଗ୍ରହରେ ଫାଇଦା ମିଳିପାରିଛି। ଡିସେମ୍ବରରେ ଜିଏସ୍‌ଟି ସଂଗ୍ରହ କମିପାରେ ବୋଲି ନଭେମ୍ବରର ପ୍ରଥମ ୩ ସପ୍ତାହରେ ପ୍ରସ୍ତୁତ ହୋଇଥିବା ହାରାହାରି ଇ-ଓ୍ବେବିଲ୍‌ ଘୋଷଣାରୁ ଜଣାପଡ଼ୁଥିବା ଆଇସିଆର୍‌ଏର ମୁଖ୍ୟ ଅର୍ଥନୀତିଜ୍ଞ ଅଦିତି ନାୟାର କହିଛନ୍ତି। ୨୦୨୨ ଆର୍ଥତ୍କ ବର୍ଷରେ କେନ୍ଦ୍ରୀୟ ଜିଏସ୍‌ଟି ସଂଗ୍ରହ ୫.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ବା ଆଶା କରାଯାଉଛି ବୋଲି ନାୟାର କହିଛନ୍ତି। ଡେଲୋଇଟ୍‌ ଇଣ୍ଡିଆ ପାର୍ଟନର ଏମ୍‌.ଏସ୍‌. ମଣିଙ୍କ କହିବା ଅନୁଯାୟୀ, ବୃହତ୍‌ ରାଜ୍ୟଗୁଡ଼ିକରେ ରାଜସ୍ବ ସଂଗ୍ରହ ୧୮ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି।

Share