ଲୁଚକାଳି ଖେଳୁଛି ମୌସୁମୀ

କେନ୍ଦୁଝର,୨୫ା୭ (ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମରେ ଦୀର୍ଘବର୍ଷରୁ କଙ୍କ୍ରିଟ କେନାଲ ନାହିଁ। ଫଳରେ ଶତାଧିକ ଧାନଚାଷୀଙ୍କ ଜମିରେ ପାଣିର ଉତ୍କଟ ସମସ୍ୟା ଲାଗି ରହିଛି। ଚଳିତବର୍ଷ ମୌସୁମୀ ବର୍ଷାର ନା ଗନ୍ଧ ନାହିଁ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଛି। ବର୍ତ୍ତମାନ ଚାଷ କାମ ଆରମ୍ଭ ହୋଇଥିବାବେଳେ କେନ୍ଦୁପୋଶି ଗ୍ରାମର ଚାଷୀଙ୍କୁ ପାଣିର ସମସ୍ୟା ଚିନ୍ତା ଘାରିଛି। ଦୀର୍ଘ ତିନି ମାସ ହେଲାଣି ବର୍ଷା ହେଇ ନ ଥିବାରୁ ଚାଷୀଙ୍କୁ ପାଣି ପାଇଁ ଚିନ୍ତା ବଢାଇ ଦେଇଛି। କେନ୍ଦୁପୋଶି ସୀମାନ୍ତ ବରଦାପାଳ ଦେଇ ଆସୁଥିବା ନାଳରେ ପାଣି ମଧ୍ୟ ଆସୁ ନ ଥିବାରୁ ଅଧିକ ସମସ୍ୟା ଦେଖାଦେଉଛି। ଏହାର କାରଣ ହେଉଛି ଗତ ୨ ବର୍ଷ ହେଲାଣି କେନାଲ ନାଳର ମରାମତି ମଧ୍ୟ ହୋଇପାରି ନାହିଁ।
ବରଦାପାଳ ନାଳରୁ କେନ୍ଦୁପୋଶି ନରସିଂହପୁର ପର୍ଯ୍ୟନ୍ତ କଂକ୍ରିଟ କେନାଲ ନିର୍ମାଣ ପାଇଁ ଅନେକ ସମୟରେ ପ୍ରଶାସନିକ ସ୍ତରରେ ଦାବି ହେଉ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି। କେନ୍ଦୁପଶି ଗ୍ରାମର ବିଜୟ କୁମାର ମୁଣ୍ଡା ହେଉଛନ୍ତି ଜଣେ ବୟସ୍କ ବ୍ୟକ୍ତି। ତାଙ୍କର ପାଖାପାଖି ୭୦ ହେକ୍ଟର ଚାଷ ଜମି ଅଛି। କିନ୍ତୁ ପାଣି ଅଭାବରୁ ବର୍ତ୍ତମାନ ଚାଷ କାର୍ଯ୍ୟ ହୋଇ ପାରୁନାହିଁ। ଗ୍ରାମର ସମସ୍ତ ଲୋକଙ୍କ କହିବା ଅନୁଯାୟୀ ଯେ ପର୍ଯ୍ୟନ୍ତ କେନାଲ ନାଳ ମରାମତି କାର୍ଯ୍ୟ ହୋଇନାହିଁ ସେ ପର୍ଯ୍ୟନ୍ତ ବରଦାପାଳର ନଦୀ ଦାରା ପ୍ରବାହିତ ପାଣି ଆସି ପାରିବ ନାହିଁ। ଏନେଇ ଗ୍ରାମର ଯୁବଗୋଷ୍ଠୀମାନେ ନିଜ ଉଦ୍ୟମରେ ମାଟିପୋତି ହୋଇଥିବା ପୁରୁଣା କେନାଲଟିକୁ ହାତରେ କୋଦାଳ ଧରି ମରାମତି କାର୍ଯ୍ୟ କରି ପାଣିର ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି। ଏହି ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେଇ କଙ୍କ୍ରିଟ କେନାଲ ନିର୍ମାଣ କରିବାକୁ ଲଙ୍କେଶ୍ୱର ମୁଣ୍ଡା,ଗୁରୁଚରଣ ମୁଣ୍ଡା,ରାମଚନ୍ଦ୍ର ମୁଣ୍ତା ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।