୬ ମାସ ହେଲା ଅନ୍ୟର ବାରଣ୍ଡାରେ ଚାଲିଛି ସ୍କୁଲ

ଟିକିରି,୨୨ା୧୦(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଅଧୀନରେ ବିଭିନ୍ନ ହାଇସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇ ରୁପାନ୍ତର କରାଯାଉଛି। ପିଲାଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି। ହେଲେ ରାୟଗଡ଼ା ଜିଲା ଉପାନ୍ତ କାଶୀପୁର ବ୍ଲକରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଖରାଦିନେ କାଳବୈଶାଖୀ ପ୍ରଭାବରେ ବିଦ୍ୟାଳୟର ଟିଣ ଉଡ଼ିଯାଇଥିବାବେଳେ ଏ ପର୍ଯ୍ୟନ୍ତ ମରାମତି ହୋଇପାରି ନାହିଁ। ଫଳରେ ୬ ମାସ ହେଲା ପିଲାମାନେ ଅନ୍ୟ ଲୋକଙ୍କ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଖୁରିଗାଁ ପଞ୍ଚାୟତ ଉପର ମାଣ୍ଡିଝୁଲା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ପବନରେ ସ୍କୁଲ ଘରର ଟିଣ ଉଡ଼ିବା ପରେ ଅଧିକାରୀ ଏବଂ ନେତା ଗାଁକୁ ଆସି ମରାମତିର ପ୍ରତିଶୃତି ଦେଇଥିଲେ। ହେଲେ ସ୍କୁଲଘର ଏ ପର୍ଯ୍ୟନ୍ତ ମରାମତି ହୋଇ ପାରିନାହିଁ। ଏ ନେଇ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପାନ୍ତ ଅଞ୍ଚଳରେ ରହୁଛୁ ବୋଲି ଆମ ପିଲାଙ୍କ ଶିକ୍ଷିତ ହେବାର ଅଧିକାର ନାହିଁ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବାରମ୍ବାର ଏ ବିଷୟରେ ଜଣାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେମାନେ କହିଛନ୍ତି। ଏ ନେଇ କାଶୀପୁର ବିଡିଓଙ୍କୁ ଯୋଗାଯୋଗ କରିବାରୁ ଶୀଘ୍ର ସମସ୍ୟର ସମାଧାନ କରାଯିବ ବୋଲି କହିଛନ୍ତି।