ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଗତ ମେ ୨୧ରେ ସରପଞ୍ଚ ସାହୁଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ “ମେଘା ପ୍ରକଳ୍ପ” ମ୍ୟାନେଜର ବୋଲି ପରିଚୟ ଦେଇ କହିଥିଲେ ଯେ କୁରେଶ୍ୱର ଅଞ୍ଚଳରେ ପ୍ରକଳ୍ପର କାମ ଅଧାରେ ରହିଯାଇଛି। କାମ ଶେଷ କରିବା ପାଇଁ ୨୦ ଜଣ ଶ୍ରମିକଙ୍କୁ ପଠାଯିବ ଏବଂ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ବିଶ୍ୱାସ ଜିତିବା ପାଇଁ ଠକ ଜଣକ କହିଥିଲେ ଯେ, ତାଙ୍କ ଫୋନ ପେ’ ଆକାଉଣ୍ଟକୁ ୮୫ ହଜାର ଟଙ୍କା ପଠାଇ ଦିଆଯିବ। ସେଥିରୁ ୫୦ ହଜାର ଟଙ୍କା ଏକ କ୍ୟୁଆର୍‌ କୋଡକୁ ପଠାଇବାକୁ, ୨୦ ହଜାର ଟଙ୍କା ଶ୍ରମିକମାନଙ୍କ ରାଶନ ପାଇଁ ରଖିବାକୁ ଏବଂ ବାକି ୧୫ ହଜାର ଟଙ୍କା କମିଶନ ଭାବେ ରଖିବାକୁ କହିଥିଲେ। ଏହା ପରେ ଠକ ଜଣକ ହ୍ବାଟ୍‌ସଆପ୍‌ରେ ୮୫ ହଜାର ଟଙ୍କା ପଠାଇଥିବା ଦର୍ଶାଇ ଏକ ନକଲି ସ୍କ୍ରିନ୍‌ଶଟ ପଠାଇ ତୁରନ୍ତ ୫୦ ହଜାର ଟଙ୍କା କ୍ୟୁଆର କୋଡ୍‌ରେ ପଠାଇବାକୁ ଚାପ ପକାଇଥିଲେ। କିନ୍ତୁ ସରପଞ୍ଚ ସାହୁ ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଛି କି ନାହିଁ ଯାଞ୍ଚ କରିବା ପରେ ଟଙ୍କା ପଠାଇବେ ବୋଲି କହିଥିଲେ। ଏହା ଶୁଣି ଠକ ଜଣକ ଉତ୍ତ୍ୟକ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଫୋନ କାଟି ଦେଇଥିଲେ।

 

Dharitri – Odisha’s No.1 Odia Daily

 

Share