ବିକ୍ରି ହେଉଛି ନକଲି ଗ୍ୟାଷ୍ଟ୍ରିକ ଔଷଧ

କଟକ ଅଫିସ,୧୬ା୧୧: ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ନକଲି ଗ୍ୟାଷ୍ଟ୍ରିକ ଔଷଧ। ରୋଗୀ ଏହାକୁ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ହେଲେ ଏହାକୁ ବିକ୍ରି କରି ପ୍ରସ୍ତୁତକାରୀ କମ୍ପାନୀ, ହୋଲ୍‌ସେଲର ଓ ଖୁଚୁରା ଦେକାନୀ ମାଲାମାଲ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କଟକ ସହର ଓ ଜିଲାର ଅନ୍ୟ ଅଞ୍ଚଳର କେତେଜଣ ରୋଗୀ ଗ୍ୟାଷ୍ଟ୍ରିକ ଓ ଏସିଡିଟି କାରଣରୁ ସୁକ୍ରାଲ ଏବଂ ସୁକ୍ରାଲ-ଓ ନାମକ ଔଷଧ ଖାଇଥିଲେ। ଏହା ପରେ ରୋଗ ନ କମିବା ସହ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ଏ ନେଇ ଅଭିଯୋଗ ପାଇବା ପରେ କଟକ ଭେଷଜ ନିରୀକ୍ଷକ-୧ ଓ ୩ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ। ଉଭୟ ଭେଷଜ ନିରୀକ୍ଷକ ତଦନ୍ତରୁ ଜାଣିବାକୁ ପାଇଲେ ଯେ କଲିକତାର କମ୍ପାନୀ ଷ୍ଟ୍ରାସେନବର୍ଗ ପ୍ରସ୍ତୁତ କରୁଥିବା ସୁକ୍ରାଲ ଏବଂ ସୁକ୍ରାଲ-ଓ ବ୍ରାଣ୍ଡ୍‌ର ନକଲି ଔଷଧ କଟକରେ ତିଆରି ହେଉଛି। ଏହି ନକଲି ଔଷଧଗୁଡିକୁ ହୋଲ୍‌ସେଲରମାନେ ଖୁଚୁରା ବ୍ୟବସାୟୀଙ୍କୁ ଶତ ପ୍ରତିଶତ ବୋନସ ଦେଇ ବିକ୍ରି କରୁଥିବା ସ୍ଥଳେ ଅସଲ କମ୍ପାନୀ ପକ୍ଷରୁ କୌଣସି ସ୍କିମ ନ ଥିବା କୁହାଯାଇଛି। ତେଣୁ ଉଭୟ ଭେଷଜ ନିରୀକ୍ଷକ ପୃଥକ୍‌ ଭାବେ ଚଢାଉ କରି ୩ଟି ହୋଲ୍‌ସେଲ ଓ ଦୁଇଟି ଖୁଚୁରା ଦୋକାନୀଙ୍କ ବିରୋଧରେ କଟକ ଉପଜିଲାପାଳ ଓ ଉପଖଣ୍ଡ ମାଜିଷ୍ଟେଟଙ୍କ ଠାରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ବ୍ୟକ୍ତିଙ୍କ ବାବଦରେ ଖୋଳତାଡ଼ ଚାଲିଥିବା ସହ ତଦନ୍ତ ଜାରି ରହିଛି।ଏହି କାରବାରର ଚେର କେନ୍ଦ୍ରାପଡା ଯାଏ ଲମ୍ବିଥିବା ଜଣାପଡିଛି। ବର୍ଷକ ପୂର୍ବେ କେନ୍ଦ୍ରାପଡାର ଜଣେ ବ୍ୟବସାୟୀ ଏହି ବ୍ରାଣ୍ଡର ନକଲ ତିଆରି କରିବା ଜଣାପଡିବା ପରେ ସେବେଠାରୁ ସେ ଫେରାର ଅଛନ୍ତି।