ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସୋମବାର ବିଶ୍ବ ବାଣିଜ୍ୟ ଦିବସ ପାଳିତ ହେଉଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆର୍ଥିକ ଅଭିବୃଦ୍ଧି, ସାଂସ୍କୃତିକ ବିନିମୟ ଏବଂ ବିଶ୍ୱ ସହଯୋଗରେ ଅନ୍ତର୍ଜାତୀୟ ବାଣିଜ୍ୟ ବୃଦ୍ଧି ଏବଂ ବାଣିଜ୍ୟ ପାଠ୍ୟକ୍ରମ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ସୃଷ୍ଟି କରିବା। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତର ଆର୍ଥିକ ସ୍ଥିତି ଭଲ ନ ଥିଲା। ତେଣୁ ସେ ବ୍ୟବସାୟର ଜଗତୀକରଣ କରିଥିଲେ। ମୁକ୍ତ ବାଣିଜ୍ୟ ବ୍ୟବସାୟ ଆରମ୍ଭ ହୋଇଥିଲା। ଯାହାଦ୍ବାରା ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା। ମୁକ୍ତ ବାଣିଜ୍ୟ ଆଜି ଅଧିକାଂଶ ଦେଶର ଆର୍ଥିକ ସ୍ଥିତିକୁ ସୁଧାର ଆଣିଛି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଏବଂ ରାଜ୍ୟ ବାଣିଜ୍ୟ ସଙ୍ଘ ପକ୍ଷରୁ ମିଳିତ ଭାବେ ସୋମବାର ବିଶ୍ବ ବାଣିଜ୍ୟ ଦିବସ କଲେଜ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏଥିରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁ ବିଶ୍ବ ଅଭିବୃଦ୍ଧି ପାଇଁ ବାଣିଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି କହିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଅଧ୍ୟାପକ ଡ. ରବିନ୍ଦ୍ର ମିଶ୍ର,ଅଧ୍ୟାପକ ଆର୍ ହରିଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବାଣିଜ୍ୟ ବିଭାଗ ଛାତ୍ରୀଛାତ୍ର ଆଲୋଚନାରେ ଭାଗ ନେଇଥିଲେ।


