ଗଞ୍ଜାମ,୧୧।୯ (ବିଦ୍ୟାଧର ସାହୁ ): ବାରଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ସହରକୁ ସଂଯୋଗ ବିଭିନ୍ନ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ସାନ ବଜାର ରାଉଳ ସାହି, ଷ୍ଟେଟ ବ୍ୟାଙ୍କ ଗଳି, ଭାରତୀ ବିଦ୍ୟାପୀଠ ସମୁଖ ବ୍ରାହ୍ମଣ ଢମଣା ସାହି ଗଳି, ଦାସ ସାହି ଗଳି,ଯାତ୍ରୀ ବିଶ୍ରାମା ଗାର ଗଳି, ଓଡ଼ିଆ ଢମଣା ସାହି ଗଳି ରାସ୍ତା ତଥା ଜାତୀୟ ରାଜପଥ ସଂଯୋଗ ରାସ୍ତା ଏବଂ ତ୍ରିବେଣୀ ମଠ ଗଳି ଠାରୁ ପୁଇଁତୋଳା ଗ୍ରାମକୁ ସଂଯୋଗ ରାସ୍ତା ଅବସ୍ଥା ନ କହିବା ଭଲ। ଏଥିସହ ବିଭିନ୍ନ ସାହିର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଘରକୁ ପାଇପ ଲାଇନ ନେବା ସମୟରେ ଲୋକେ ରୋଡ଼ କାଟି ପାଇପ ପକେଇ ଛାଡିଦେଇଥିବା ଯୋଗୁଁ ମୋଟର ସାଇକେଲ ଓ ସାଇକେଲରେ ଯାଉଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ପ୍ରଶାସନର ଦୃଷ୍ଟି ନପଡିବା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହାଲରେ ମତ ପ୍ରକାଶ ପାଇଛି। ବଜାର ମଝି ଭାରତୀ ବିଦ୍ୟାପୀଠ ସ୍କୁଲ ନିକଟରେ ଏବଂ ସାନବଜାର ଠାରେ ଥିବା ଶନିମନ୍ଦିର ନିକଟରେ ଓ ମଳୟ ବେହରାଙ୍କ ଗ୍ୟାରେଜ ସମ୍ମୁଖ ରାସ୍ତାରୁ ପିଚୁ ଉଠିଯାଇ ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ସହରର ମୁଖ୍ୟ ରାସ୍ତା ହେତୁ ଦୈନଦିନ ଶହ ଶହ ଲୋକ ବିଭିନ୍ନ କାମରେ ବଜାରକୁ ଆସିଥାନ୍ତି । ଆଗକୁ ପାର୍ବଣ ଋତୁ। ବଜାର ସହ ବିଭିନ୍ନ ସାହି ଗୁଡିକରେ ଜନଗହଳି ର୍ପୂ୍ଣ୍ଣ ରହିବ ଏହି ଦୃଷ୍ଟି କୋଣରୁ ଯୁଦ୍ଧ କାଳୀନ ଭିତ୍ତିରେ ସାହି ରାସ୍ତା ମରାମତି କରାଯିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ପଚାରିବାରେ ବିଭିନ୍ନ ସାହି ରାସ୍ତା ମରାମତି ଓ ନିର୍ମାଣ ପାଇଁ କାଉନସିଲ ବୈଠକରେ ରିଜୁଲେସନ ହୋଇଛି ଏବଂ କିଛି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ଖୁବ୍ଶୀଘ୍ର ସମାଧାନ ହେବ ବୋଲି ସେ କହିଛନ୍ତି l

