ଥୁଆମୂଳ ରାମପୁର,୨୩ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଜୀବନରେଖା କୁହାଯାଉଥିବା ସିଙ୍ଗାରି ଘାଟି ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କଲମପୁର ଛକଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ମରଣଯନ୍ତା ପାଲଟିଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀ ଉଦ୍ବେଗ ପ୍ରକାଶ କରିବା ସହ ରାସ୍ତାର ତୁରନ୍ତ ସଂସ୍କାର ପାଇଁ ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଥୁଆମୂଳ ରାମପୁରରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସନ୍ଧ୍ୟା ପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ସିଙ୍ଗାରି ଘାଟି ରାସ୍ତା ହିଁ ସ୍ଥାନୀୟ ଲୋକଙ୍କ ପାଇଁ ଦିନରାତି ଯାତାୟାତର ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ହୋଇଥାଏ। ବିଶେଷ କରି ଜରୁରୀକାଳିନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ରାସ୍ତାର ଗୁରୁତ୍ୱ ଅଧିକ ରହିଛି। ମାତ୍ର ଦୀର୍ଘଦିନ ଧରି ଏହାର ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ବିପଦସଙ୍କୁଳ ହୋଇପଡ଼ିଛି। ଏହି ସମସ୍ୟାକୁ ଗୁରୁତ୍ୱ ସହ ନେଇ ବିଧାୟକ ପତ୍ର ସଂଖ୍ୟା ୦୮/ଏସି-୭୭ ଜରିଆରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ତାଙ୍କ ନିର୍ବାଚନ ମଣ୍ଡଳୀର ଏହି ପ୍ରମୁଖ ରାସ୍ତାଟି ବର୍ତ୍ତମାନ ଅତି ଖରାପ ସ୍ଥିତିରେ ରହିଛି, ଯାହା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଆବଶ୍ୟକୀୟ ପାଣ୍ଠି ମଞ୍ଜୁର କରିବା ସହ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ନିବେଦନ କରିଛନ୍ତି। ଏହି ପତ୍ରର ଏକକିତା ନକଲ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଏବଂ ଇଆଇସି (EIC)ଙ୍କ ନିକଟକୁ ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ବିଧାୟକଙ୍କ ଏହି ପଦକ୍ଷେପ ପରେ ଅଞ୍ଚଳବାସୀ ରାସ୍ତା କାମ ଶୀଘ୍ର ଆରମ୍ଭ ହେବା ନେଇ ଆଶା ବାନ୍ଧିଛନ୍ତି।

