Categories: ବାଣିଜ୍ୟ

ରେପୋ କମାଇ ନ ପାରେ ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏହାର ପରବର୍ତ୍ତୀ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ରେପୋ ହ୍ରାସ କରି ନ ପାରେ। ଏହା ରେପୋକୁ ଅପରିବର୍ତ୍ତିତ ରଖିପାରେ ବୋଲି ବିଶେଷଜ୍ଞ କହିଛନ୍ତି। ବର୍ତ୍ତମାନ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। କେନ୍ଦ୍ରୀୟ ବ୍ୟାଙ୍କର ଧାର୍ଯ୍ୟଲକ୍ଷ୍ୟଠାରୁ ଏହା ଅଧିକ ରହିଛି। ଏଭଳି ସ୍ଥିତିରେ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ନକାରାତ୍ମକ ସ୍ଥିତିରେ ରହିଛି। ଡିସେମ୍ବର ୨ରୁ ରିଜର୍ଭ ବ୍ୟାଙ୍କର ୬ ଜଣିଆ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ ହେଉଛି। ଏହା ୨ ଦିନ ଚାଲିବ। ଡିସେମ୍ବର ୪ରେ ରିଜର୍ଭ ବ୍ୟାଙ୍କ ଏହାର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବ। ଅକ୍ଟୋବରରେ ହୋଇଥିବା ବୈଠକରେ ରିଜର୍ଭ ବ୍ୟାଙ୍କ ରେପୋ ଅପରିବର୍ତ୍ତିତ ରଖିଥିଲା। ମୁଦ୍ରାସ୍ଫୀତି ୬%ରୁ ଊର୍ଦ୍ଧ୍ୱରେ ରହିବା ଯୋଗୁ ରେପୋ କମାଇବା ଦିଗରେ ଏହା କଷ୍ଟକର ହେଉଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୯.୫% ଖସିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ଆକଳନରେ କହିଛି। କରୋନା ମହାମାରୀ ଯୋଗୁ ଜିଡିପିକୁ ଏଭଳି କ୍ଷତି ସହିବାକୁ ପଡିଛି। ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କ ୧୧୫ ବେସିସ ପଏଣ୍ଟ ରେପୋ ହ୍ରାସ କରିଛି।

Share