Categories: ବାଣିଜ୍ୟ

ଶେଷ ହୋଇନି ଆର୍‌ବିଆଇ ଲଢେଇ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୨୮।୮: କରୋନା ମହାମାରୀ ଦ୍ୱାରା ବଜାର ଉପରେ ପଡିଥିବା ସଙ୍କଟକୁ ସୁଧାରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଲଢେଇ ଜାରି ରଖିଛି। ଏହି ଲଢେଇ ଶେଷ ହୋଇ ନାହିଁ ବୋଲି ଗୁରୁବାର ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସ୍ଥିତିକୁ ସମ୍ଭାଳିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ବର୍ତ୍ତମାନ ମଧ୍ୟ ଅନେକ ବିକଳ୍ପ ରହିଛି। ଯାହାର ବ୍ୟବହାର ଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ସ୍ଥିତି ବିରୋଧରେ ଲଢେଇ ଜାରି ରଖିବ ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। ଏକ ଓ୍ବେବିନାରରେ ଯୋଗଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଜରୁରୀ ଭିତ୍ତିରେ ଗ୍ରହଣ କରିବାକୁ ଥିବା ପଦକ୍ଷେପ ନେଇ ଆର୍‌ବିଆଇ ବେଶ ସତର୍କ ରହିଛି। ସ୍ଥିତି ସାମାନ୍ୟ ସୁଧୁରିଲେ ଆଗାମୀ ଦିନରେ ମଧ୍ୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ। ବ୍ୟାଙ୍କଗୁଡିକ ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ଦୃଢ କରିବା ଲାଗି ସେ ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନ ସମୟ ଯାହା ରହିଛି ତାହା ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍‌ ଉପରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିବ। ହେଲେ ବ୍ୟାଙ୍କଗୁଡିକ ସ୍ଥିତିକୁ ସମ୍ଭାଳିବା ଲାଗି କିଭଳି ପଦକ୍ଷେପ ନେଉଛନ୍ତି ତାହା ବିଚାରଯୋଗ୍ୟ। ଦେଶର ବ୍ୟାଙ୍କିଙ୍ଗ ଶିଳ୍ପ ବର୍ତ୍ତମାନ ଦୃଢ ରହିଛି। ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ସମସ୍ୟା ସମାଧାନ ଦିଗରେ ଦୀର୍ଘମିଆଦି ଭିତ୍ତିରେ ଚିନ୍ତା କରାଯାଉଛି। ବଜାରରେ ଚାହିଦା ପ୍ରଭାବିତ ଥିବାରୁ ଏହାକୁ ଉତ୍ସାହିତ କରିବା ଲାଗି ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହୁଥିବା କେନ୍ଦ୍ରୀୟ ବ୍ୟାଙ୍କ ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଥିଲା।

Share