ବଳାତ୍କାରୀ, ବଳାତ୍କାରରେ ସାହାଯ୍ୟ କରିଥିବା ସାବତ ଆଈଙ୍କୁ ୩୦ ବର୍ଷ ଜେଲ୍‌

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ବୁଧବାର ଏକ ୧୪ ବର୍ଷ ନାବାଳିକା ବଳାତ୍କାର ମାମଲାରେ ଏସ୍‌.କେ.ଶେହଜାଦ ଅଲ୍ଲୀ(୫୩)ଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶରେ ଦଣ୍ଡିତ କରିଥିବା ବେଳେ ୩୦ ହଜାର ଟଙ୍କା ଫାଇନ୍‌ ଆଦେଶ କରିଛନ୍ତି। ଫାଇନ୍‌ ଅନାଦେୟ ଅଧିକ ତିନି ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି। ସେହିପରି ତାଙ୍କୁ ସହାୟତା କରିଥିବା ପୀଡ଼ିତାଙ୍କ ସାବତ ଆଈଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶ କରିବା ସହ ୨୦ ହଜାର ଫାଇନ୍‌ ଆଦେଶ କରିଛନ୍ତି। ଫାଇନ୍‌ ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି।

ପ୍ରକାଶ ଯେ, ଯୋଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କ ମା’ଙ୍କୁ ବାପା ଛାଡ଼ି ପଳାଇବା ପରେ ମା’ ଦ୍ୱିତୀୟ ବିବାହ କରିଥିଲେ। ଏହା ପରେ ପୀଡ଼ିତା ତାଙ୍କ ଅଜା ଘରେ ରହି ଆସୁଥିଲେ। ଅଜା ତାଙ୍କ ଦିତୀୟ ସ୍ତ୍ରୀ ଅମିତା କାରୁଆଙ୍କ ସହିତ ପୀଡ଼ିତା ରହୁଥିଲେ। ଅମିତାଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିବା ଏସ୍‌.କେ.ଶେହଜାଦ ସେଠାକୁ ନିୟମିତ ଯିବା ଆସିବା କରୁଥିଲେ। ୨୨ ଜୁନ୍‌ ୨୦୧୮ରେ ଘରେ ଅଜାଙ୍କ ଅନୁପସ୍ଥିତିରେ ଦୋଷୀ ଶେହଜାଦ ବଳାତ୍କାର କରିଥିଲେ ଓ କାହାକୁ ନ ଜଣାଇବାକୁ ଧମକଚମକ ଦେଇଥିଲେ। ଦୁର୍ଗାପୂଜା ସମୟରେ ପୀଡ଼ିତାଙ୍କ ମା’ ଦେଖା କରିବାକୁ ଯାଇଥିବା ବେଳେ ଶେହଜାଦ ସାକ୍ଷାତ କରିବାକୁ ଦେଇ ନ ଥିଲେ। ସନ୍ଦେହ କରି ପୀଡ଼ିତାଙ୍କ ମା’ ଝାଡ଼ଖଣ୍ଡ ରାଜ୍ୟ ନୂଆମୁଣ୍ଡିକୁ ଯାଇ ନିଜ ଭାଇଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କ ମାମୁ ମାଇଁ ଯୋଡ଼ା ଯାଇ ପୀଡ଼ିତାଙ୍କୁ ନୂଆମୁଣ୍ଡି ଆଣି ଆସିଥିଲେ। ସେଠାରେ ପୀଡ଼ିତା ସବୁ ଘଟଣା କହିଥିଲେ। ଏହାକୁ ନେଇ ୨୭ ଅକ୍ଟୋବର ୨୦୧୮ରେ ଯୋଡ଼ା ଥାନାରେ ପୀଡ଼ିତା ଅଭିଯୋଗ କରିବା ପରେ ପୋଲିସ କେସ୍‌ ନମ୍ବର ୧୯୮/୨୦୧୮ରେ କେସ୍‌ ରୁଜୁ କରି ଏସ୍‌.କେ. ଶେହଜାଦ ଓ ପୀଡ଼ିତାଙ୍କ ସାବତ ଆଈ ଅମିତାଙ୍କୁ ଗିରଫ କରିଥିଲେ। ଶେହଜାଦ ସାବତ ଆଈଙ୍କ ସହଯୋଗରେ ଦୀର୍ଘ ୫ ମାସ ଧରି ତା ସହ ବଳାତ୍କାର କରିଆସୁଥିଲା ବୋଲି ପୋଲିସ ଜାଣିବା ପରେ ପୋକ୍ସୋ ଧାରାରେ ଗିରଫ କରି ୨୭ ଅକ୍ଟୋବରରେ କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ସମୁଦାୟ ୨୧ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତିକରି ମାନ୍ୟବର ଜଜ୍‌ ଆଜି ଏହି ରାୟ ଶୁଣାଇଛନ୍ତି ବୋଲି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ପୀଡ଼ିତାଙ୍କ ୬ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ସୁପାରିସ କରିଛନ୍ତି।