Categories: ଅପରାଧ

ବଳାତ୍କାର ପୀଡ଼ିତା ନାବାଳିକାକୁ ଜୀବନ୍ତ ଜାଳିଦେଲେ

ଭିଓ୍ବାନୀ, ୧୮।୭- ହରିୟାଣାର ଭିଓ୍ବାନୀ ଜିଲାରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଲୋମ ଟାଙ୍କୁରୀ ଉଠିବ। ଏଠାରେ ଜଣେ ଯୁବକ ନିଜ ବନ୍ଧୁଙ୍କ ସହ ମିଶି ପ୍ରଥମେ ନାବାଳିକାଙ୍କୁ ବଳାତ୍କାର କରି ଏହାର ଭିଡିଓ ଶୁଟିଂ କରିଥିଲେ। ଏହାପରେ ତାଙ୍କୁ ବ୍ଲାକମେଲ କରି ଧମକ ଦେଇଥିଲେ। ଶେଷରେ ଯୁବକ ଜଣଙ୍କ ପୀଡ଼ିତାଙ୍କ ଘରେ ପଶି ଶୋଇଥିବା ଅବସ୍ଥାରେ ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି। ଘଟଣାରୁ ଜଣାପଡ଼ିଛି ଯେ, ଗତ ୧୪ ତାରିଖରେ ନାବାଳିକାଙ୍କ ପରିବାର ଲୋକ ତାଙ୍କ ଝିଅକୁ ପଡ଼ିଶା ଘର ଜଣେ ୨୨ ବର୍ଷୀୟ ଯୁବକ ଓ ତା’ର ସାଙ୍ଗମାନେ ମିଶି ବଳାତ୍କାର କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗତ ଗୁରୁବାର ରାତିରେ ୧୫ ବର୍ଷୀୟା ନାବାଳିକା ଜଣଙ୍କ ଘରେ ଶୋଇଥିବାବେଳେ ସେହି ଯୁବକ ଜଣଙ୍କ ଘରେ ପଶି ଜୀବନ୍ତ ନିଆଁ ଲଗାଇ ଫେରାର ହୋଇଯାଇଥିଲା। ପରେ ପରିବାର ଲୋକେ ନାବାଳିକାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯୁବକ ବାପା ମଧ୍ୟ ଲୋକ ଲଜ୍ଜାରେ ଆତ୍ମହତ୍ୟା କରିଥିଲେ। ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଯୁବକଙ୍କ ବାପାଙ୍କ ଆତ୍ମହତ୍ୟା ଘଟଣାରେ ନାବାଳିକାଙ୍କ ପରିବାରର କିଛି ଲୋକଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।