୫୯ ନଂ ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ

ବାଲିଗୁଡ଼ା,୨୦ା୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁଠୁ ସହର ସବୁଠି ସଙ୍ଗୀନ ପରିସ୍ଥିତି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କନ୍ଧମାଳ ଜିଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ ପୋଲ ଧୋଇ ହୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ଜଳ ପଶିବା ସହ ଅନେକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳୁଛି। ଏପଟେ ଲଗାଣ ବର୍ଷାରେ ବାଲିଗୁଡ଼ା ସହରର ବସ୍‌ଷ୍ଟାଣ୍ଡ ନିକଟସ୍ଥ ଆଦର୍ଶ ପୁଷ୍କରିଣୀରେ ଜଳସ୍ତର ବୃଦ୍ଧି ପାଇବା ସହ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି। ସହରର ବିଭିନ୍ନ ଓ୍ବାର୍ଡରେ ବର୍ଷାଜଳ ଲୋକଙ୍କ ଘରେ ପଶିବା ସହ କିଛି ଲୋକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳୁଛି। ମହାସିଙ୍ଗି ପଞ୍ଚାୟତର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ବର୍ଷା ଜଳ ପଶିବା ସହ ଅନେକ କ୍ଷତି ହୋଇଥିବା ବେଳେ ମୁଖ୍ୟ ରାସ୍ତା ତଥା ଗାଁ ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ। ଏଥିସହିତ ଅନେକ ଲୋକଙ୍କ ଦୋକାନ ଭିତରେ ବର୍ଷା ଜଳ ପଶିବା ସହ ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।