ସ୍ବଚ୍ଛତାରେ ଯୋଡ଼ିହେବେ ପୂଜା କମିଟି

ଢେଙ୍କାନାଳ ଅଫିସ, ୨।୧:  ଢେଙ୍କାନାଳ ସହରର ପୂଜା ପ୍ରତିଷ୍ଠାନଗୁଡ଼ିକୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯିବ। ସହର ସୌନ୍ଦର୍ଯ୍ୟକରଣରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୌରସଂସ୍ଥା ପକ୍ଷରୁ ଲକ୍ଷ୍ମୀବଜାର ଇନ୍ଦିରା ଗାନ୍ଧୀ ସୁପରମାର୍କେଟ୍‌ କମ୍ପ୍ଲେକ୍ସ ପ୍ରାଙ୍ଗଣରେ ଆୟୋଜିତ ‘ସଫେଇ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଏହି ପ୍ରସ୍ତାବ ଗୃହୀତ ହୋଇଛି। ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ସହର ସୌନ୍ଦର୍ଯ୍ୟବୃଦ୍ଧି ଉପରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।
ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ସଭାପତି ବିଶ୍ୱନାଥ ବେହେରାଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଓ ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଉପସ୍ଥିତ ଥିଲେ। ସମସ୍ତ ଲକ୍ଷ୍ମୀପୂଜା ପ୍ରତିଷ୍ଠାନକୁ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ରକ୍ଷା କ୍ଷେତ୍ରରେ ସାମିଲ କରିବାକୁ ଶିକ୍ଷାବିତ୍‌ ପ୍ରଦ୍ୟୁମ୍ନ ରଥ ମତ ଦେଇଥିଲେ। ଏଣିକି ପ୍ରତି ୱାର୍ଡରେ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ‘ସଫେଇ ପେ ଚର୍ଚ୍ଚା, ଚାଏ କେ ସାଥ’ ଏହାର ଥିମ୍‌ ରହିବ। ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯିବ। ପୂର୍ବତନ ନଗରପାଳ ସୁନୀଲ୍‌ କୁମାର ଶର୍ମା, ଇନ୍ଦ୍ରମଣି ବେହେରା, ସୁଧାଂଶୁ ଦଳେଇ, ରୋଟାରିଆନ୍‌ ରାଜକିଶୋର ବେହେରା, ସ୍ବଚ୍ଛତା ସହଯୋଗୀ ‘ହେଲ୍‌ପିଂ ହ୍ୟାଣ୍ଡ ସୋସାଇଟି’ର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗନେଇଥିଲେ।