୫୦ ପରିବାରଙ୍କ ସମସ୍ୟା ସମାଧାନ ହୋଇପାରୁନି

ଅତିରିକ୍ତ ଜିଲାପାଳ ଅଭିଯୋଗ ଶୁଣିଲେ
ଭଞ୍ଜନଗର,୧୮।୪(ଡି.ଏନ.ଏ.) ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ ଆସିଥିବା ଅଭିଯୋଗ ଗୁଡିକ ଶୁଣିଥିଲେ। ଏହାପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ, ଭଞ୍ଜନଗର ଉପଜିଲାପାଳ ଜ୍ୟୋତି ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ୨୨ ବର୍ଷ ହେଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇର ୫୦ ପରିବାରଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ। ଉକ୍ତ ପରିବାର ଗୁଡିକ ଅତିରିକ୍ତ ଜିଲାପାଳଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ କହିଥିଲେ। ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଅନୁସୂଚିତ ଜାତିର ୫୦ ପରିବାରକୁ ଗ୍ରାମବାସୀ ନିର୍ଯ୍ୟାତନା ଦେଉଛନ୍ତି। ତେଣୁ ସେମାନେ ଭୟରେ ଗ୍ରାମ ଛାଡି ରହୁଛନ୍ତି। ତେଣୁ ଆମକୁ ସୁରକ୍ଷିତ ଭାବେ ଗ୍ରାମରେ ଆଣି ରଖିବା ପାଇଁ ଉକ୍ତ ପରିବାର ଗୁଡିକ ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ଭେଟି ନିବେଦନ କରାଯାଇଛି।