ସପକ୍ଷବାଦୀ-ବିପକ୍ଷବାଦୀ ଛକାପଞ୍ଝା

ସମ୍ବଲପୁର,୭।୯(ବ୍ୟୁରୋ): ସମ୍ବଲପୁର ଜିଲାରେ ବନ୍ଦ ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସେପ୍ଟେମ୍ବର ୭ରେ ଦିଆଯାଇଥିବା ମହାବନ୍ଦ ଡାକରାକୁ ବିରୋଧ କରାଯାଇଛି। ସହରର ମୁଖ୍ୟ ସ୍ଥାନରେ ସବୁ ଖୋଲା ବୋଲି ଲେଖାଯାଇଥିବା ବ୍ୟାନର ଲଗାଯାଇଛି। ଅନ୍ୟପଟେ ବନ୍ଦ ପାଳନକୁ ସମର୍ଥନ କରୁଥିବା ଅନୁଷ୍ଠାନ ମଧ୍ୟ ବନ୍ଦ ପାଳନ ସଫଳ ହେବା ନେଇ ରଣନୀତି କରୁଛି। ଏହାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହି ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ଗୋଷ୍ଠୀ ବିଭିନ୍ନ ଅନୁଷ୍ଠାନ, ଜିଲା ପ୍ରଶାସନ, ପୋଲିସ ପ୍ରଶାସନକୁ ଭେଟି ସମର୍ଥନ ଜୁଟାଇବାରେ ଲାଗିଛନ୍ତି। ଜିଲା ଓକିଲ ସଂଘ ମଧ୍ୟ ବନ୍ଦକୁ ସମର୍ଥନ କିମ୍ବା ବିରୋଧ କରିବ ନାହିଁ। କୋର୍ଟକୁ ସାଧାରଣ ଲୋକ ଆସିବାରେ ସମସ୍ୟା ହେବା କାରଣରୁ ସଂଘ କର୍ମକର୍ତ୍ତା ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।
ବନ୍ଦ ପାଳନକୁ ବିରୋଧ କରୁଥିବା ହୀରାଖଣ୍ଡ ସାମ୍ମୁଖ୍ୟ ଓ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଆହ୍ବାନକ୍ରମେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ସାମିଲ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠାନର ସଦସ୍ୟମାନେ ଜିଲା ଓକିଲ ସଂଘ, ଏସ୍‌ପି, ଜିଲାପାଳ ତଥା ଅନ୍ୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବେସରକାରୀ, ବ୍ୟବସାୟୀ ସଂଘ, ଶିକ୍ଷାନୁଷ୍ଠାନକୁ ଯାଇ ସବୁ ଖୋଲା ରଖିବାକୁ ପିକେଟିଂ କରିଛନ୍ତି। ସବୁଠାରେ ଖୋଲା ରଖିବାକୁ ବ୍ୟାନର ଲଗାଇ ସଚେତନ କରୁଛନ୍ତି। ଆମର ଭାଷା ସମ୍ବଲପୁରୀ, ଆମର ରାଏଜ ହୀରାଖଣ୍ଡ ବୋଲି ସ୍ଲୋଗାନ୍‌ ଦେଇଛନ୍ତି। ଏଥିରେ ସାଲିସ କରାଯିବ ନାହିଁ ବୋଲି କହିଥିଲେ। ଅନ୍ୟପଟେ କୋଶଳ ମୁକ୍ତି ମୋର୍ଚ୍ଚା ସପକ୍ଷବାଦୀ ମଧ୍ୟ ଜିଲା ଓକିଲ ସଂଘ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସକୁ ଯାଇ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ବନ୍ଦ ପାଳନ କରିବା ଆଇନସମ୍ମତ ନୁହେଁ। ଯେଉଁମାନେ ବନ୍ଦ କରିବାକୁ ଚାହିଁବେ କରିିପାରିବେ। ହେଲେ ବନ୍ଦ ପାଇଁ କାହା ଉପରେ ବଳ ପ୍ରୟୋଗ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁରକ୍ଷା ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।