ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ପକାଇଲେ ପ୍ରଧାନଶିକ୍ଷୟିତ୍ରୀ, ବାହାରେ ବସିଲେ ଛାତ୍ରୀଛାତ୍ର

ହିଞ୍ଜିଳିକାଟୁ,୧୬ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୋଡିଙ୍ଗି ଶ୍ୟାମଳାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଆସି ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ବନ୍ଦ କରି ଦେଇଥିଲେ। କିଛି ସମୟ ପରେ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସି ଫାଟକ ଭିତରପଟୁ ତାଲା ପଡିଥିବା ଦେଖିବାକୁ ପାଇଥିଲେ। ଦୀର୍ଘ ସମୟ ଧରି ଛାତ୍ରୀଛାତ୍ର ବିଦ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇ ରହିଥିଲେ। ଉକ୍ତ ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ଅଭିଭାବକମାନେ ବିଦ୍ୟାଳୟକୁ ଆସି ଅସନ୍ତୋଷ ପ୍ରକାଶ କରିଥିଲେ। ଖବର ପାଇ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଅସନ୍ତୁଷ୍ଟ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ବିଡିଓଙ୍କ ହସ୍ତକ୍ଷେପ ପରେ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟ ଫାଟକ ତାଲା ଖୋଲିବା ପରେ ଶିକ୍ଷାର୍ଥୀମାନେ ବିଦ୍ୟାଳୟକୁ ପ୍ରବେଶ କରିଥିଲେ। ସମୟ ନିର୍ଘଣ୍ଟ ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀ କାହିଁକି ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ପକାଇଥିଲେ, ଏ ନେଇ ସଠିକ୍‌ ତଥ୍ୟ ମିଳିପାରିନାହିଁ ।

ଘଟଣା ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍‌ ଗିରିଧରଙ୍କୁ ପଚାରିବାରୁ ସେ କୁହନ୍ତି, କିଛି ଦିନ ପୂର୍ବେ କିଛି ଶିକ୍ଷୟତ୍ରୀ/ଶିକ୍ଷକ ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିବାରୁ ଗ୍ରାମବାସୀ ଏହାର ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ରୀଛାତ୍ର ସାଢ଼େ ୬ଟା ପୂର୍ବରୁ ଉପସ୍ଥିତ ରହିବା ପାଇଁ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ରହିଛି। ସମୟ ନିର୍ଘଣ୍ଟ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ପାଇଁ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ଶନିବାର ସକାଳ ସାଢ଼େ ୬ଟାରେ ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ପକାଇ ଦେଇଥିଲେ। ଯାହା ଫଳରେ ବହୁ ଶିକ୍ଷାର୍ଥୀ ସଠିକ୍‌ ସମୟରେ ବିଦ୍ୟାଳୟରେ ପହଞ୍ଚି ନ ପାରି ବାହାରେ ଠିଆ ହୋଇଥିଲେ।