ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା ଧୀରେ ଧୀରେ ଦୁର୍ବଳ ହେଉଥିବାର ଅନେକ ଦୃଷ୍ଟାନ୍ତ ଦୃଷ୍ଟିଗୋଚର ହେବାରେ ଲାଗିଛି। ଗୋଟିଏ ରାଜ୍ୟର ପୋଲିସ ଅନ୍ୟ ପ୍ରଦେଶରେ ପ୍ରବେଶ କରି କାହାରିକୁ ଗିରଫ କରିବା କିମ୍ବା ଉଠାଇ ଆଣିବା ଘଟଣା ସଂଘୀୟ ବ୍ୟବସ୍ଥା ପାଇଁ ଗମ୍ଭୀର ଆହ୍ବାନ ଭାବେ ଉଭା ହୋଇଛି। ଆନ୍ତଃ-ରାଜ୍ୟ ଗିରଫଦାରି ସମ୍ବନ୍ଧୀୟ ଆଇନଗତ ସ୍ଥିତି ନେଇ ଭାରତୀୟ ସମ୍ବିଧାନର ସପ୍ତମ ଅନୁସୂଚୀ ଅନୁଯାୟୀ ‘ପୋଲିସ’ ରାଜ୍ୟ ତାଲିକାରେ ରହିଛି। ଅର୍ଥାତ୍‌ ପୋଲିସ ସମ୍ବନ୍ଧୀୟ ପ୍ରସଙ୍ଗରେ ରାଜ୍ୟ ସରକାରଗୁଡ଼ିକର ନିୟନ୍ତ୍ରଣ ରହିଥାଏ। ଯେତେବେଳେ ଗୋଟିଏ ରାଜ୍ୟର ପୋଲିସ ଅନ୍ୟ ରାଜ୍ୟକୁ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ସେତେବେଳେ ସେଠାକାର ପୋଲିସ ସହଯୋଗରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ନିକଟସ୍ଥ ଅଦାଲତରେ ହାଜର କରାଇଥାଆନ୍ତି। ଏଥିସହ ଅଦାଲତଙ୍କ ଅନୁମତି କ୍ରମେ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନିଜ ଅଞ୍ଚଳକୁ ନେଇଥାଆନ୍ତି। ଏବେ ବହୁ କ୍ଷେତ୍ରରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ତାହା ସଂଘୀୟ ମର୍ଯ୍ୟାଦା ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଥିବା ସମନ୍ବୟକୁ ପ୍ରଭାବିତ କରୁଛି। ଏହା ମଧ୍ୟ ଦେଖାଯାଉଛି ଯେ, କେନ୍ଦ୍ରରେ ଶାସିତ ଦଳ ପୋଲିସ ବ୍ୟବସ୍ଥାର ଦୁରୁପଯୋଗ କରି ଯେଉଁ ରାଜ୍ୟରୁ ପାରୁଛି ସେଠାରୁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଗିରଫ କରିଆଣିପାରୁଛି। ଏଭଳି ଅସାମ୍ବିଧାନିକ କାର୍ଯ୍ୟରେ ପ୍ରଥମେ ଦିଲ୍ଲୀ ପୋଲିସକୁ ଅନେକ ଥର ବ୍ୟବହାର କରାଯାଇଛି। ମନେପକାଇ ଦିଆଯାଇପାରେ ଯେ, ଦିଲ୍ଲୀ ପୋଲିସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ।
ଏଠାରେ କିଛି ଉଦାହରଣ ଉଲ୍ଲେଖ କରାଯାଇପାରେ। ଜଳବାୟୁ ପରିବର୍ତ୍ତନ କର୍ମୀ ତଥା ଭାରତରେ ଗ୍ରେଟା ଥନ୍‌ବର୍ଗଙ୍କ ‘ଫ୍ରାଇଡେ ଫର୍‌ ଫ୍ୟୁଚର’ ଶାଖାର ସହ-ପ୍ରତିଷ୍ଠାତା ଦିଶା ରବିଙ୍କୁ ଟୁଲ୍‌ କିଟ୍‌ରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୩ ଫେବୃଆରୀ ୨୦୨୧ରେ ବାଙ୍ଗାଲୋରସ୍ଥିତ ଘରୁ ଦିଲ୍ଲୀ ପୋଲିସ ଗିରଫ କରିନେଇଥିଲା। ଅବଶ୍ୟ ଟୁଲ୍‌ କିଟ୍‌ର କୌଣସି ସ୍ପଷ୍ଟ ବିବରଣୀ ବାହାର କରିବା କଷ୍ଟକର। ସୂଚନା ଦିଆଯାଇପାରେ ଯେ, ସେତେବେଳେ ଭାରତରେ କୃଷକ ଆନ୍ଦୋଳନ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଚାଷୀ ଆନ୍ଦୋଳନ ସହ ଜଡ଼ିତ ଏକ ଟୁଲ୍‌ କିଟ୍‌ ଏଡିଟ୍‌ କରି ସବୁଆଡ଼େ ପଠାଇବାରେ ଦିଶାଙ୍କ ପ୍ରମୁଖ ଭୂମିକା ଥିଲା ବୋଲି ପୋଲିସ ଅଭିଯୋଗ କରିଥିଲା। ଭାରତ ବିରୋଧରେ ଘୃଣା, ଅସନ୍ତୋଷ ଓ ହିଂସା ବଢ଼ିବାର ଆଶଙ୍କା ସୃଷ୍ଟି ହେବାକୁ ଦେଖି ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ତଥ୍ୟ ପ୍ରମାଣ ମିଳି ନ ଥିବାରୁ ତାଙ୍କୁ ମୁକ୍ତ କରିଦିଆଯାଇଥିଲା। ସେଥିରୁ ବୁଝାପଡ଼ିଥିଲା ଯେ, ଏହା କେବଳ ଧମକାଇବାର ଉଦ୍ଦେଶ୍ୟ ରଖି କରାଯାଇଥିଲା।
ମନେପଡ଼େ ପ୍ରତିରକ୍ଷା ବିଶ୍ଳେଷକ ଅଭିଜିତ ଆୟର-ମିତ୍ରଙ୍କ ଗିରଫଦାରି ଘଟଣା। କୋଣାର୍କ ସୂର୍ଯ୍ୟ ମନ୍ଦିର ବିଷୟରେ ବିବାଦୀୟ ମନ୍ତବ୍ୟ ପରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଶାସିତ ଓଡ଼ିଶା ପୋଲିସ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା। ପରେ ଅଭିଜିତଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଓ ଅଭିଯୋଗ ପ୍ରତ୍ୟାହାର ପରେ ଏହି ଘଟଣାର ସମାପ୍ତି ଘଟିଥିଲା। କିନ୍ତୁ ସେ ଏକମାସରୁ ଊର୍ଦ୍ଧ୍ୱ ସମୟ ବିଚାର ବିଭାଗୀୟ ହାଜତରେ ରହି ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ହନ୍ତସନ୍ତ ହୋଇଥିଲେ। ସାମ୍ପ୍ରତିକ ଘଟଣାଗୁଡ଼ିକ ସୂଚିତ କରୁଛି ଯେ ଏହି ଧାରା ଏପର୍ଯ୍ୟନ୍ତ କମି ନାହିଁ। ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇ ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ମମତା ବାନାର୍ଜୀଙ୍କ ତୃଣମୂଳ ଶାସିତ ପଶ୍ଚିମବଙ୍ଗର କଲିକତା ପୋଲିସ ୨୦୨୫ ମେ’ ୩୦ରେ ହରିୟାଣାର ଗୁରୁଗ୍ରାମରୁ ଉଠାଇ ଆଣିଥିଲା। ପରବର୍ତ୍ତୀ ସମୟରେ କ୍ଷମାପ୍ରାର୍ଥନା କରିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା।
ଏପ୍ରିଲ ୨୦୨୬ରେ ଭାଜପା ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୂୟଁା ଶର୍ମାଙ୍କ ସମ୍ପର୍କରେ କଂଗ୍ରେସ ନେତା ପବନ ଖେରା ଦେଇଥିବା ମନ୍ତବ୍ୟକୁ ନେଇ ଅସ୍ବାଭାବିକ ସ୍ଥିତି ଉପୁଜିଥିଲା। ଖେରା ଅଭିଯୋଗ କରିଥିଲେ ଯେ, ରିଙ୍କିଙ୍କ ପାଖରେ ଏକାଧିକ ବିଦେଶୀ ପାସ୍‌ପୋର୍ଟ ଓ ବିଦେଶରେ ଅଘୋଷିତ ସମ୍ପତ୍ତି ରହିଛି। ଏହା ପରେ ଆସାମ ପୋଲିସ ଖେରାଙ୍କ ବିରୋଧରେ ଏତଲା ଦାୟର କରିଥିଲା। ସେତେବେଳେ ଖେରା କଂଗ୍ରେସ ଶାସିତ ତେଲଙ୍ଗାନାର ହାଇଦ୍ରାବାଦରେ ଥିବାରୁ ସେଠାରେ ସୁରକ୍ଷିତ ରହିଯାଇଥିଲେ। ତେବେ ଗୁଆହାଟୀ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଖେରା ସୁପ୍ରିମକୋର୍ଟରୁ ଆଗୁଆ ଜାମିନ ପାଇଥିଲେ। କିନ୍ତୁ ଆସାମ ପୋଲିସ ଦିଲ୍ଲୀରେ ଖେରାଙ୍କ ଘରକୁ ଯାଇ ତାଙ୍କୁ ଖୋଜିଥିଲା। ମେ’ ୨୦୨୬ରେ ଦୂରଦର୍ଶନର ଉପସ୍ଥାପକ ଅଶୋକ ଶ୍ରୀବାସ୍ତବ ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସରକାରୀ ଟେଲିଭିଜନ କାର୍ଯ୍ୟକ୍ରମରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ ଆଉ ଏକ ଆନ୍ତଃ ରାଜ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଦୃଷ୍ଟାନ୍ତ ଦୃଷ୍ଟିଗୋଚର ହୋଇଛି। କଂଗ୍ରେସ ଶାସିତ ରାଜ୍ୟ ତେଲଙ୍ଗାନାର ହାଇଦ୍ରାବାଦରେ ଅଶୋକଙ୍କ ବିରୋଧରେ ପଞ୍ଜୀକୃତ ଏତଲା ଆଧାରରେ ତେଲଙ୍ଗାନା ପୋଲିସ ୩ ମେ’ ୨୦୨୬ରେ ଟେଲିଭିଜନ ଉପସ୍ଥାପକଙ୍କ ଭାଜପା ଶାସିତ ଉତ୍ତରପ୍ରଦେଶର ଘାଜିଆବାଦ ଘରେ ପହଞ୍ଚତ୍ ନୋଟିସ୍‌ ଦେଇଥିଲା। ଅବଶ୍ୟ ସେହି ସମୟରେ ଅଶୋକ ଘରେ ନ ଥିଲେ।
ପୋଲିସ ପଠାଇବା ବ୍ୟତୀତ ଜାତୀୟ ରାଜନୈତିକ ଦଳଗୁଡ଼ିକ ଅତି ସହଜରେ ବିଭିନ୍ନ ରାଜ୍ୟରେ ଏତଲା ଦାୟର କରି ବ୍ୟକ୍ତିବିଶେଷର ବାକ୍‌ ସ୍ବାଧୀନତା ଚାପିବା ପାଇଁ ପ୍ରବଳ ଭାବେ ହଇରାଣ କରିଦେଇପାରୁଛନ୍ତି। ଏ ନେଇ କୌଣସି ସ୍ପଷ୍ଟ ଆଇନ ନ ଥିବାରୁ ଅଦାଲତଗୁଡ଼ିକ ମଧ୍ୟ ବିଭିନ୍ନ ଜାଗାରୁ ସମାନ ଦୋଷ ପାଇଁ ଓ୍ବାରେଣ୍ଟ ପଠାଇ ଦେଉଛନ୍ତି। ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛନ୍ତି ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ। ଉପରୋକ୍ତ ଦୃଷ୍ଟାନ୍ତକୁ ଦେଖିଲେ ପୋଲିସ ବ୍ୟବସ୍ଥା ରାଜନୈତିକ ଚାପରେ ବଦଳିବାରେ ଲାଗିଛି। ସେହିପରି ଅଧିକାଂଶ ମାମଲାରେ ହାଇକୋର୍ଟଗୁଡ଼ିକ ସାଧାରଣତଃ ରାଜ୍ୟ ସରକାରଙ୍କ ପକ୍ଷରେ ଥିବାର ଦେଖାଯାଏ। ସମ୍ଭବତଃ ସେହି କାରଣରୁ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାନୀୟ ଚାପରୁ ରକ୍ଷା କରିବା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ୧୯୭୦ ଦଶକର ଶେଷ ଭାଗରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିଜ ରାଜ୍ୟ ବାହାରୁ ନିଯୁକ୍ତି ଦେବାର ନୀତି ଆରମ୍ଭ ହୋଇଥିଲା। ଜରୁରିକାଳୀନ ପରିସ୍ଥିତି ସମୟରେ ବିଚାରପତିଙ୍କ ସାମୂହିକ ସ୍ଥାନାନ୍ତରଣ ପରେ ଆଇନ କମିଶନଙ୍କ ୮୦ତମ ରିପୋର୍ଟ (୧୯୭୯)ରେ ଏହାକୁ ଆନୁଷ୍ଠାନିକ ଭାବେ ସୁପାରିସ କରାଯାଇଥିଲା। ଏହା ସଂଘୀୟ ଢାଞ୍ଚାରେ ପ୍ରାଦେଶିକ ଅତିଶୟୋକ୍ତିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତାକୁ ପ୍ରତିଫଳିତ କରୁଥିଲା। ବିଡମ୍ବନାର ବିଷୟ, ଯେଉଁ ସୁରକ୍ଷା ବ୍ୟବସ୍ଥା ନିରପେକ୍ଷତା ଓ ନ୍ୟାୟକୁ ସୁରକ୍ଷିତ କରିବାକୁ ଚେଷ୍ଟା କରିଥିଲା, ଏବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ସାମ୍ପ୍ରତିକ ପୋଲିସ ବ୍ୟବସ୍ଥା ସେହି ନୀତିଗୁଡ଼ିକୁ ଦୁର୍ବଳ କରିବାର ଆଶଙ୍କା ସୃଷ୍ଟି କରୁଛି। ଭାରତର ଗଣତାନ୍ତ୍ରିକ ସ୍ଥିରତା ବହୁଦିନ ଧରି ଆଇନ ଆଧାରରେ ଭିନ୍ନମତକୁ ସ୍ଥାନ ଦେବାର କ୍ଷମତା ଉପରେ ନିର୍ଭର କରିଆସିଛି। ବାକ୍‌ ସ୍ବାଧୀନତାକୁ ଦମନ କରିବା ପାଇଁ ଆନ୍ତଃ-ରାଜ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନର ବାରମ୍ବାର ବ୍ୟବହାର ସେହି ଆଧାରକୁ ବିପରୀତ ଦିଗରେ ଘୂରାଇବାର ବିପଦ ସୃଷ୍ଟି କରୁଛି।

 

 

Odisha’s No.1 Odia Daily