କଫ ସିରପ୍‌, ନିଶାବଟିକା ଚାଲାଣ ଯୋଜନା ପଣ୍ଡ: ୪ ଗିରଫ

ବରଗଡ଼ ଅଫିସ,୨୫ା୭: ବରଗଡ଼ ଜିଲା ବରପାଲି ପୋଲିସ ହାତରେ କଫ ସିରପ୍‌, ନିଶା ବଟିକା ଚାଲାଣ ଧରାପଡ଼ିଛି। ଏଥିରେ ସମ୍ପୃକ୍ତ ୪ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଜିଲା ସୋହେଲା ଥାନା ବନାବିରା ଗ୍ରାମର ଚୂଡ଼ାମଣି ସେଠ(୪୦), ମେଲଛାମୁଣ୍ଡା ଥାନା ପେଟୁପାଲି ଗ୍ରାମର ମିତ୍ରଭାନୁ ମେହେର(୨୫), ଗାଇସିଲେଟ ଥାନା ତାଲପାଲି ଗ୍ରାମର ପ୍ରକାଶ ସାହୁ(୩୦) ଏବଂ କାହ୍ନା ସେଠ(୧୯)। ସେମାନଙ୍କ ନିକଟରୁ ୩୨୯୦ବୋତଲ ସିଲଡ୍‌ କଫ ସିରପ୍‌, ଭାଙ୍ଗିଥିବା ୭୦ ବୋତଲ କଫ ସିରପ୍‌, ୪ଟି ମୋବାଇଲ, ୨ଟି ଚାରିଚକିଆ ଗାଡ଼ି(ନଂ-ଓଡିି ୦୩ ଏନ୍‌ ୦୧୭୦, ଓଡି୦୨ ଜି ୧୪୫୭) ଏବଂ ନଗଦ ୨୧୮୦ଟଙ୍କା ଜବତ ହୋଇଛି।
ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଶନିବାର ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଥିଲେ, ଗିରଫ ଅଭିଯୁକ୍ତମାନେ ଶୁକ୍ରବାର ମହଦା ଛକ ପାଖରେ ଅଟକି ବରଗଡ଼, ସୋହେଲା ଏବଂ ଲୁହୁରାଚଟି ଅଞ୍ଚଳକୁ କଫ ସିରପ୍‌, ନିଶା ବଟିକା ଚାଲାଣ ପାଇଁ ଯୋଜନା କରୁଥିଲେ। ଏ ନେଇ ସୂଚନା ପାଇ ବରପାଲି ଥାନାର ଏକ ପୋଲିସ ସ୍କ୍ବାଡ୍‌ ସେଠାରେ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଧରିଥିଲେ। ତେବେ ଗିରଫ ଅଭିଯୁକ୍ତ ଚୂଡ଼ାମଣିଙ୍କ ବିରୋଧରେ ଜିଲାର ବିଭିନ୍ନ ଥାନାରେ ୧୨ଟି ଏବଂ କାହ୍ନାଙ୍କ ବିରୋଧରେ ପୂର୍ବରୁ ଗୋଟିଏ ମାମଲା ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।