ପାଇପ୍‌ ଲାଇନ ଫାଟି ରାସ୍ତା ଜଳମଗ୍ନ

ମାଲକାନଗିରି,୩ା୩ (ଡି.ଏନ୍‌.ଏ.)  ମାଲକାନଗିରି ପୌର ପରିଷଦ ଅଞ୍ଚଳ ମୁଖ୍ୟ ରାସ୍ତାରୁ ଦୁର୍ଗାଗୁଡି ସାହିକୁ ଯାଇଥିବା ରାସ୍ତା ତଳେ ଏକ ପାନୀୟ ଜଳ ପାଇପ ଲାଇନ ଦୀର୍ଘ ୪ ମାସ ହେଲା ଫାଟି ପ୍ରତିଦିନ ପାଣି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ପାନୀୟ ଜଳ ନଷ୍ଟ ହେବା ସହ ରାସ୍ତା ମଧ୍ୟ ନଷ୍ଟ ହେବାରେ ଲାଗିଛି। ରାସ୍ତାରୁ ପିଚୁ ଏବଂ ଗୋଡି ଉଠିଗଲାଣି। ସାହିବାସିନ୍ଦା ଏ ସମ୍ପର୍କରେ ବାରମ୍ବାର ଜନସ୍ବାସ୍ଥ୍ୟ ବିଭାଗକୁ ଅବଗତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ବିଭାଗ ନେଇନାହିଁ। କ୍ରମାଗତ ଭାବେ ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।