ଅବଧି ସରିଲା, ପୋଲ ନିର୍ମାଣ ସରିଲାନି

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଭାବେ ବାସ କରୁଥିବା ପୋଡାପଦର ଗ୍ରାମପଞ୍ଚାୟତର ୧୬ ଏବଂ ମାଳିଗାଁ ପଞ୍ଚାୟତର ଗୋଟିଏ ଏଭଳି ୧୭ଖଣ୍ଡ ଗ୍ରାମବାସୀଙ୍କ ଜୀବନ ଏବେ ଅଭିଶପ୍ତ ପାଲଟିଛି। ପୋଡାପଦର ପଞ୍ଚାୟତ ଅଧୀନ ଲିଟିମସ୍କା, ଭୁରଭୁରି ଟେମରା, ଘୃଟୃଖାଲ, ସରାପାସ, ତେନ୍ତୁଳିପଦର, କାରୁବାଡି, ତଳପୁଙ୍ଗା, କଲାଟି, ଉପରପୁଙ୍ଗା, ତଳଝିରି, ଉପରଝିରି, କୁଟୃପାଟ, ଗୁଞ୍ଜମାଳି, ଉପର ଗୁଞ୍ଜମାଳି, ଢେପଟେମରା ଏବଂ ମାଳିଗାଁ ପଞ୍ଚାୟତର କେ.ଚେପଟାଘାଟ ଏସବୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଞ୍ଚଳ ଭାବେ ରହିଆସିଛି। ସରକାର ଏହି ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ପାନୀୟଜଳ ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ସମସ୍ତ ଯୋଜନାକୁ ପ୍ରତିଘାତ କରିଛି ଗୋଲାଗାଡ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ। ମାଳିଗାଁ ପଞ୍ଚାୟତ ଡି.ଚେପଟାଘାଟଠାରୁ ପୋଡାପଦର ପଞ୍ଚାୟତକୁ ସଂଯୋଗ ପାଇଁ ଗୋଲାଗାଡ ନଦୀ ଉପରେ ନିର୍ମାଣାଧୀନ ପୋଲ ଅବଧି ଶେଷ ହୋଇସାରିଛି। ୬ କୋଟି ୬୪ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଥିବା ପୋଲ ୨୧।୦୮।୨୦୨୦ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ୨୦ ଫେବୃଆରୀ ୨୦୨୨ରେ ସମ୍ପୂର୍ଣ୍ଣ ହେବାକୁ ଚୁକ୍ତି ହୋଇଥିଲା। କିନ୍ତୁ ପ୍ରାୟ ୩୦ ପ୍ରତିଶତ କାମ ହୋଇଥିବା ବେଳେ ଠିକାଦାର, ବିଭାଗୀୟ ଯନ୍ତ୍ରୀ ଅବା ଅଧିକାରୀଙ୍କ ଅବହେଳା ଯୋଗୁ ନିର୍ମାଣ କାର୍ଯ୍ୟ ଅଟକିଛି। କେବେ ଏହି ପୋଲ ନିର୍ମାଣ ହେବ ଏବଂ ଏହି ଜଳବନ୍ଦୀ ଅଞ୍ଚଳକୁ ଗମନାଗମନର ପଥ ଉନ୍ମୁକ୍ତ ହେବ ଏହାର ଉତ୍ତର ନା ପ୍ରଶାସନ ନା ଜନପ୍ରତିନିଧି କାହା ପାଖରେ ମଧ୍ୟ ନାହିଁ। ଗୋଲାଗାଡ ନଦୀରେ ଏକ ଫାଇବର୍‌ ଭାସମାନ ଡଙ୍ଗାର ଅସ୍ଥାୟୀ ବ୍ୟବସ୍ଥା ହୋଇଛି। ଯାହା ପାରିହୋଇ ଯିବାକୁ ଏକ ଦଉଡିର ସାହାଯ୍ୟ ନେବାକୁ ପଡିଥାଏ। ଗୋଲାଗାଡ ନଦୀକୁ ପାରି ହୋଇ ବିକାଶ ପହଞ୍ଚତ୍ବା କଷ୍ଟ ହୋଇଥିଲେ ମଧ୍ୟ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଉଚିତ ତଦାରଖର ଅବହେଳା ଯୋଗୁ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକରେ ବ୍ୟାପକ ଅନିୟମିତତା ଆଶଙ୍କା ରହିଛି। ଏଥିସହିତ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ମଧ୍ୟ ନଜରକୁ ଆସୁଛି। ଅନ୍ୟପକ୍ଷରେ ୨୦୧୭-୧୮ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କାର ଅନୁଦାନରେ କେ.ଚେପଟାଘାଟ ଏବଂ ତେନ୍ତୁଳିପଦର ରାସ୍ତା ମଧ୍ୟରେ ଥିବା ସାନ ନାଳା ଉପରେ ପୋଲ ନିର୍ମାଣ ହୋଇଥିଲା। ବର୍ତ୍ତମାନ ତାହା ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ। ପୋଲ ଅବସ୍ଥା ଠିକ ରହିଥିବା ବେଳେ ଏହାର ସୁରକ୍ଷା ବାଡ ଭୁଷୁଡି ଯାଇଥିବା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ମୋଟ ଉପରେ କହିବାକୁ ଗଲେ ଅଞ୍ଚଳ ପାଇଁ ଆଉ ଏକ ସ୍ବାଧୀନତାର ଅପେକ୍ଷା କରିବାକୁ ପଡିବ କି ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶ୍ନ ଉଠୁଛି।