ଭଞ୍ଜନଗର,୨୬ା୧୦(ବାବୁଲା ପ୍ରଧାନ): ସିଲ୍କ ସିଟି ସର୍ଜନ୍ସ କ୍ଲବ ବ୍ରହ୍ମପୁର, ଭାରତୀୟ ଚିକିତ୍ସକ ସଂଘ ବ୍ରହ୍ମପୁର ଶାଖା ଏବଂ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ବ୍ରହ୍ମପୁର ଶାଖାର ମିଳିତ ସହଯୋଗରେ ରବିବାର ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଶତାଧିକ ରୋଗୀଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ କିଛି ରୋଗୀଙ୍କ ସେଠାରେ ଅପରେଶନ ମଧ୍ୟ କରାଯାଇଥିଲା। ଏଥିସହ ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଯେଉଁମାନଙ୍କ ଅଧିକ ଚିକିତ୍ସା ଆବଶ୍ୟକ ପଡ଼ିଥିଲା ସେମାନଙ୍କୁ ଅନ୍ୟତ୍ର ଅଧିକ ଚିକିତ୍ସା ହେବାକୁ ପରାମର୍ଶ ଦିଆଯାଇଥିଲା।
ଶିବିରକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଘୁମୁସର ମାଟିକୁ ରାଜ୍ୟର ଜଣାଶୁଣା ଡାକ୍ତରମାନେ ଆସି ରୋଗୀଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ନେଇ ବିଧାୟକ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହ ଆଗାମୀ ଦିନରେ ଏହିଭଳି ସ୍ବାସ୍ଥ୍ୟ ଶିବିର କରିବାକୁ ସେ ଉପସ୍ଥିତ ଡାକ୍ତରଙ୍କୁ ଆହ୍ବାନ କରିଥିଲେ। ଭଞ୍ଜନଗର ଉପଖଣ୍ଡ ମେଡିକାଲ ଅଧୀକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ସର୍ଜରୀ ପ୍ରଫେସର ଡାକ୍ତର ଚରଣ ପଣ୍ଡା, ୟୁରୋଲୋଜି ବିଶେଷଜ୍ଞ ଡକ୍ଟର କମଳାକାନ୍ତ ପାଣିଗ୍ରାହୀ, ଅବସରପ୍ରାପ୍ତ ଜିଲା ଚିକିତ୍ସାଧିକାରୀ ଡକ୍ଟର ପ୍ରସନ୍ନ କର, ଏମ୍କେସିଜି ମେଡିକାଲ କଲେଜ ବ୍ରହ୍ମପୁର ସର୍ଜରୀ ପ୍ରଫେସର ଡାକ୍ତର ଆଇ ଗୋପାଳ, ମେଡିକାଲ କଲେଜର ସର୍ଜରୀ ବିଶେଷଜ୍ଞ ଡକ୍ଟର ପ୍ରଭାତ ପାଣିଗ୍ରାହୀ, ଏମକେସିଜି ମେଡିକାଲ କଲେଜ ବ୍ରହ୍ମପୁର ସର୍ଜରୀ ପ୍ରଫେସର ଡାକ୍ତର ମନୋଜ ସେଠୀ, ଅବସରପ୍ରାପ୍ତ ସିଡିଏମ୍ଓ, ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ସରୋଜ ମିଶ୍ର ପ୍ରମୁଖ ଯୋଗଦେଇ ରୋଗୀଙ୍ଗ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଭଞ୍ଜନଗର ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


