ଚଳନ୍ତା ଟ୍ରେନ୍‌ରୁ ଡେଇଁପଡ଼ିଲେ ଯାତ୍ରୀ

ବ୍ରହ୍ମପୁର ଅଫିସ,୨୦।୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନରେ ରବିବାର ଜଣେ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ସେ ହେଲେ ଜୟଶଙ୍କର ମୁଣ୍ଡା (୩୪)। ଆସାମ୍‌ରୁ ଜୟଶଙ୍କର ନିଜ ସ୍ତ୍ରୀଙ୍କ ସହ ଚେନ୍ନାଇ ବୁଲିବାକୁ ଯାଉଥିଲେ। ସେମାନେ ଜେନେରାଲ ଟିକେଟ୍‌ କରି ବ୍ରହ୍ମପୁର ଆସିଥିଲେ। ଏଠାରୁ ଅନ୍ୟ ଟ୍ରେନ୍‌ରେ ଚେନ୍ନାଇ ଯିବା ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ଭୁଲବଶତଃ ୧ନଂ ପ୍ଲାଟଫର୍ମରେ ଲାଗିଥିବା ଚେନ୍ନାଇ-ହାଓ୍ବଡ଼ା ମେଲରେ ଚଢ଼ିଯାଇଥିଲେ। ସେମାନେ ଏହା ଜାଣିଲା ବେଳକୁ ଟ୍ରେନ୍‌ ଛାଡ଼ି ଦେଇଥିଲା। ସେଥିରୁ ଓହ୍ଲାଇବା ପାଇଁ ଜୟଶଙ୍କର ଡେଇଁ ପଡ଼ିଥିଲେ। କିନ୍ତୁ ନିୟନ୍ତ୍ରଣ ହରାଇ ପ୍ଲାଟଫର୍ମରୁ ରେଳଧାରଣାକୁ ଖସିଯାଉଥିବା ବେଳେ ଦେବଦୂତ ସାଜି ସେଠାରେ ନିୟୋଜିତ ଥିବା ଆର୍‌ପିଏଫ୍‌ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ ତାଙ୍କୁ ଭିଡ଼ି ନେଇ ଉଦ୍ଧାର କରିଥିଲେ।