ବୃଦ୍ଧାଙ୍କୁ ଧକ୍କା ଦେଇ ମିନି ବସ୍‌ ସହ ପିଟିହେଲା କାର୍‌, ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତାରେ ରବିବାର ଏକ କାର୍‌ (ନଂ. ଓଡ଼ି ୦୭ ଏ ବି -୧୫୧୨) ଧକ୍କା ଦେବାରୁ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ବୃଦ୍ଧା ଜଣକ ହେଲେ ଦିଗପହଣ୍ଡି ଗଜାନନ ନଗରର କାଞ୍ଚନ ବେହେରା। ସେ ଶୌଚ ପାଇଁ ରାସ୍ତା ପାର ହେଉଥିବା ବେଳେ ବ୍ରହ୍ମପୁରରୁ ଗଜପତି ଜିଲା ମୋହନା ଅଭିମୁଖେ ଦ୍ରୁତଗତିରେ ଯାଉଥିବା କାର୍‌ଟି କାଞ୍ଚନଙ୍କ ଉପରେ ମାଡ଼ିଯିବା ସହ ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ୱରେ ଥିବା ଅନ୍ୟଏକ ଯାତ୍ରୀବାହୀ ମିନିବସକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।
ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ କାଞ୍ଚନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦିଗପହଣ୍ଡି ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି କେସ୍‌ ନଂ.୧୯୩/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡ଼ିଛି।