ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଦିଗପହଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ନୂଆ ସାହିରେ ଥିବା ପ୍ରାଥମିକ ସେବା ସମବାୟ ସମିତି ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତ ବୃଦ୍ଧ ଜଣକ ହେଲେ ସିଦ୍ଧେଶ୍ୱର ନୂଆ ସାହିର ତ୍ରିନାଥ ଗୌଡ଼ (୭୦)। ଏହି ଦୁର୍ଘଟଣା ବୁଧବାର ସକାଳେ ଘଟିଛି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ତ୍ରିନାଥଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଉତ୍ତେଜିତ ଲୋକମାନେ ଗଣିଆନାଳ ଛକରେ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଉତ୍ତେଜିତ ଲୋକମାନେ ପୋଲିସ୍‌ ଗାଡିକୁ ଛାଡ଼ି ନ ଥିଲେ। ପରେ ବିଜେଡି ନେତା ସରୋଜ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ଏନେଇ ଦିଗପହଣ୍ଡି ଥାନା କେସ୍‌ ନଂ-୩୬୦/୨୨ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ବାଇକ୍‌ ସହ ଦୁଇଜଣ ଛାତ୍ରଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ ଚଳେଇଛନ୍ତି ବୋଲି ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା କହିଛନ୍ତି।