ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ, କୁକୁର ପାଇଁ ବଞ୍ଚିଗଲେ ଆଉ ଦୁଇଜଣ

କେନ୍ଦୁଝର,୧ା୪(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦଳେଇବନ୍ଧ ଜଙ୍ଗଲ ରାସ୍ତାରେ ଶନିବାର ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣ କରିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ନାମ ହେଲା ବାମି ନାଏକ(୬୦)। ତାଙ୍କ ଘର ଘଟଗାଁ ବ୍ଲକ ବିନିଦା ପଞ୍ଚାୟତ ଫୁଲଝର ଗ୍ରାମରେ ବୋଲି ଜଣାପଡ଼ିଛି। ଆଜି ସକାଳେ ବାମି ଏବଂ ତାଙ୍କ ସ୍ତ୍ରୀ ସୁବା ନାଏକ (୫୭) ସୁବାଙ୍କ ସମ୍ପର୍କୀୟ ଯାଆ ପୁକ ନାଏକ (୫୬)ଙ୍କ ସହିତ ଜଙ୍ଗଲକୁ ଚରିବାକୁ ଯାଇ ହଜିଥିବା ଗୋରୁ ଆଣିବାକୁ ଗତକାଲି ଯାଇଥିଲେ। ରାତିରେ ରହି ଆଜି ସକାଳେ ଗୋରୁ ଧରି ଫେରୁଥିବା ବେଳେ ଦଳେଇବନ୍ଧ ଜଙ୍ଗଲ ରାସ୍ତାରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଥିଲେ। ଗୋଠ ଛଡ଼ା ଦନ୍ତାଟି ବାମିଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା। ଏହା ପରେ ହାତୀଟି ବୁଲି ପଡ଼ି ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିବାକୁ ଧାଇଁ ଆସିଥିଲା। ଏହି ସମୟରେ ସେମାନଙ୍କ ସହିତ ଯାଇଥିବା ଏକ କୁକୁର ଭୁକିବାରୁ ହାତୀ ସେମାନଙ୍କୁ ଛାଡ଼ି କୁକୁରକୁ ଗୋଡ଼ାଇଥିଲା। ଫଳରେ ୨ ଜଣ ମୃତ୍ୟୁମୁଖ୍ୟରୁ ବର୍ତ୍ତି ଯାଇଥିଲେ। ଏହି ସମୟରେ ପାଟି ତୁଣ୍ଡ ଶୁଣି ଆଖପାଖରେ ଥିବା ଲୋକମାନେ ଧାଇଁ ଆସିଥିଲେ। ଗୁରୁତର ଅବସ୍ଥାରେ ବାମିଙ୍କୁ ପ୍ରଥମ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ରେଞ୍ଜର ବିଜୟ କୁମାର ମହାନ୍ତ ଓ ଅନ୍ୟ ବନ କର୍ମଚାରୀମାନେ ପହଞ୍ଚି ହରିଚନ୍ଦନପୁର ପୋଲିସକୁ ଜଣାଇ ବ୍ୟବଚ୍ଛେଦ କରାଯାଇଥିଲା। ଘଟଗାଁ ରେଞ୍ଜ ପକ୍ଷରୁ ମୃତକ ସ୍ତ୍ରୀ ସୁବା ନାଏକଙ୍କୁ ଅନ୍ତେଷ୍ଟିକ୍ରିୟା ପାଇଁ ଅଗ୍ରୀମ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତଦନ୍ତ ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ପ୍ରକାଶ କରିଛନ୍ତି।