Categories: ବାଣିଜ୍ୟ

ଏୟାର ଇଣ୍ଡିଆରେ ୧୦୦% ପର୍ଯ୍ୟନ୍ତ ନିବେଶ କରିବେ ଏନ୍‌ଆର୍‌ଆଇ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ ଡିଆଇ) ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ ପ୍ରବାସୀ ଭାରତୀୟ ବା ଏନ୍‌ଆର୍‌ଆଇମାନେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ୧୦୦% ପର୍ଯ୍ୟନ୍ତ ନିବେଶ କରିପାରିବେ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ମୁତାବକ ଏୟାର ଇଣ୍ଡିଆରେ ବିଦେଶୀ ନିବେଶ ୪୯%ରୁ ଅଧିକ ହୋଇ ପାରିବ ନାହିଁ। ପ୍ରତ୍ୟକ୍ଷ, ଅପ୍ରତ୍ୟକ୍ଷ କିମ୍ବା ବିଦେଶୀ ବିମାନ କମ୍ପାନୀ ଦ୍ୱାରା ହେଉଥିବା ନିବେଶ ଲାଗି ଏଭଳି ନିୟମ ରହିଛି। ଯଦି କୌଣସି ପ୍ରବାସୀ ଭାରତୀୟ ଏହି ନିବେଶ କରନ୍ତି ତେବେ ଅଟୋମେଟିକ ରୁଟ୍‌ରେ ସେ ୧୦୦% ପର୍ଯ୍ୟନ୍ତ ନିବେଶ କରିପାରିବେ। ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ପ୍ରତ୍ୟକ୍ଷ ନିବେଶ ଆଇନରେ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏୟାର ଇଣ୍ଡିଆନ ଘରୋଇକରଣକୁ ଆକର୍ଷଣୀୟ କରିବା ଲାଗି କେନ୍ଦ୍ର ସରକାର ଏଭଳି ନିୟମ ପରିବର୍ତ୍ତନ କରିଥିବା ଜଣାପଡିଛି। ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପୂର୍ବରୁ ଅନେକ ଥର ପ୍ରୟାସ କରିଥିଲେ ମଧ୍ୟ ଏ ଦିଗରେ କୌଣସି ସଫଳତା ମିଳିପାରିନାହିଁ। ଏହା ପୂର୍ବରୁ ଏନ୍‌ଆର୍‌ଆଇମାନେ କେବଳ ୪୯% ଅଂଶଧନ ଏୟାର ଇଣ୍ଡିଆରେ ହାସଲ କରିବା ନିୟମ ରହିଥିଲା। ସେହିଭଳି ଅଟୋମେଟିକ ଉପାୟରେ ବିଦେଶୀ ନିବେଶ ୪୯% ଲାଗି ନିୟମ ରହିଛି। ଏହାଠାରୁ ଅଧିକ ପରିମାଣର ନିବେଶ କରିବାକୁ ଚାହୁଁଥିଲେ ସରକାରଙ୍କ ଅନୁମତି ଲୋଡ଼ାପଡୁଛି।

Share