ଘୁମୁସର ଜିଲା ଦାବିରେ ଜୋରଦାର ହେବ ଆନ୍ଦୋଳନ

ଭଞ୍ଜନଗର,୧୯।୧୧(ଡି.ଏନ.ଏ): ୧୯୯୩ରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ଘୋଷଣା କରିଥିଲେ। ସେ ସମୟରେ କିନ୍ତୁ ଆଉ କିଛି ଅଞ୍ଚଳବାସୀ ସରକାରଙ୍କ ପାଖରେ ଜିଲା ପାଇଁ ଉପଯୁକ୍ତ ଦାବି ଉପସ୍ଥାପନ କରି ପାରି ନ ଥିଲେ। ସେଥିମଧ୍ୟରେ ଭଞ୍ଜନଗର ଉପଖଣ୍ଡବାସୀ ଘୁମୁସର ଜିଲା ପାଇଁ ଦାବି କରି ନିରାଶ ହୋଇଥିଲେ। କିନ୍ତୁ ଘୁମୁସରବାସୀ ଆଶା ନ ଛାଡ଼ି ଦୀର୍ଘ ୨୯ ବର୍ଷ ହେବ ମଝିରେ ମଝିରେ ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଓ ୫ଟି ଏନଏସିକୁ ନେଇ ଘୁମୁସର ଜିଲା ଘୋଷଣା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି। ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଭବନ ଭଞ୍ଜନଗର ସହରଠାରୁ ମାତ୍ର ୩ କି.ମି. ଦୂର ଘୁ.ନୂଆଗାଁରେ। ତାଙ୍କ ସମୟରେ ଘୁମୁସର ଜିଲା ଘୋଷଣା ହୋଇ ନ ଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ବର୍ଷରୁ ଉର୍ଦ୍ଧ୍ୱ ଦିନ କ୍ଷମତାରେ ରହିବା ପରେ ବି ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଉନାହାନ୍ତି। ଏପଟେ ବରଗଡ଼ ଜିଲା ପଦ୍ମପୁରବାସୀଙ୍କ ଦାବିକୁ ବିଚାରକୁ ନେଇଥିବାରୁ ଘୁମୁସରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶାସକ ଦଳ ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଚାପରେ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ସମାନ ଜିଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର ଧରିବାର ଆଶଙ୍କା ଦେଖାଦେଇଛି। ଏଥିରେ ଭଞ୍ଜନଗର ଅଞ୍ଚଳବାସୀ ମଧ୍ୟ ଘୁମୁସର ଜିଲା ଦାବି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଭଞ୍ଜନଗର ବାର ଆସୋସିଏସନ କାର୍ଯ୍ୟକାରିଣୀ ବୈଠକରେ ଏଥିପାଇଁ ଆଲୋଚନା ହୋଇଛି। ଆଗାମୀ ଦିନରେ ଏନେଇ ବିଭିନ୍ନ ଅନୁଷ୍ଠାନକୁ ନେଇ ଆଲୋଚନା କରାଯିବା ପରେ ଆନ୍ଦୋଳନ କରାଯିବ ବୋଲି ସଭାପତି ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ଏକ ବଡ ଉପଖଣ୍ଡ ହେଉଛି ଭଞ୍ଜନଗର। ଭୌଗଳିକ ଏବଂ ଲୋକସଂଖ୍ୟା ଦୃଷ୍ଟିରୁ କେତେକ ଜିଲା ଅପେକ୍ଷା ଭଞ୍ଜନଗର ଉପଖଣ୍ଡ ବଡ। ତଥାପି ଭଞ୍ଜନଗର ଉପଖଣ୍ଡକୁ ଜିଲା ଘୋଷଣା କରାଯାଉନାହିଁ। ଘୁମୁସର ଜିଲା ଘୋଷଣା ନେଇ ଅଧିକାଂଶ ପ୍ରକ୍ରିୟା ସରିଥିଲେ ମଧ୍ୟ ସରକାର ଅଞ୍ଚଳବାସୀଙ୍କ ଦାବିକୁ ଅଣଦେଖା କରି ଆସୁଛନ୍ତି।