୩ ଛୁଆଙ୍କୁ ଧରି କୂଅକୁ ଡେଇଁଲେ ମା’, ଦୁଇ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର,୩ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଘରୋଇ ଅଶାନ୍ତିକୁ କେନ୍ଦ୍ରକରି ଜଣେ ମହିଳା ଚରମ ପଦକ୍ଷେପ ନେଇଛନ୍ତି। ନିଜେ ତାଙ୍କର ୩ ଛୁଆଙ୍କୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଏଥିରେ ମା’ରଶ୍ମିତା ଗୌଡ଼(୩୨) ଓ ବଡ଼ ଝିଅ ଗୁଞ୍ଜନ(୧୦) ଗୁରୁତର ହୋଇଥିବା ବେଳେ ସାନ ପୁଅ ଆୟୁଷ(୫) ଓ ତାଙ୍କର ୧ ବର୍ଷର ଝିଅ ଆଲିସାଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି।

ଘଟଣାରୁ ପ୍ରକାଶ ଯେ, ୧୨ ବର୍ଷ ତଳେ ଲାଉଗୁଡ଼ା ଗ୍ରାମର ବଳରାମ ଗୌଡ଼ ରଶ୍ମିତାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଥିଲେ। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପରିବାରର ଭରଣପୋଷଣ ବଳରାମଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ସେ ଦାଦନ ଖଟିବାକୁ ଚେନ୍ନାଇ ଚାଲିଯାଇଥିଲେ। ଏହାସତ୍ତ୍ୱେ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରି ନ ଥିଲା। ଯାହାକୁ ନେଇ ଘରୋଇ ଅଶାନ୍ତି ଲାଗି ରହିଥିଲା। ସେପଟେ ବଳରାମ ଚେନ୍ନାଇରେ ରହୁଥିବା ବେଳେ ରବିବାର ବିଳମ୍ବିତ ରାତିରେ ରଶ୍ମିତା ତାଙ୍କର ଦୁଇ ଝିଅ ଓ ପୁଅକୁ ନେଇ ଘର ନିକଟରେ ଥିବା ଏକ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶବ୍ଦ ଶୁଣି ସାହି ଲୋକମାନେ ଉକ୍ତ କୂଅ ନିକଟରେ ପହଞ୍ଚି ରଶ୍ମିତା ଓ ତାଙ୍କର ବଡ଼ ଝିଅ ଗୁଞ୍ଜନଙ୍କୁ କୂଅରୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ରଶ୍ମିତାଙ୍କ ସାନ ଝିଅ ଓ ପୁଅ ପାଣି ଭିତରେ ବୁଡ଼ିଯାଇଥିବାରୁ ତାଙ୍କୁ ଉଦ୍ଧାର କରିପାରି ନ ଥିଲେ। ପରେ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ବିପ୍ରଚରଣ ପ୍ରଧାନ ଓ ତାଙ୍କ ଟିମ୍‌ ସୋମବାର ସକାଳେ ପହଞ୍ଚି କୂଅ ଭିତରୁ ମୃତ ଆୟୁଷ ଓ ଆଲିସାଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।