ଘରୁ ତଡ଼ିଦେଲେ ପୁଅ ବୋହୂ, ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ): ଜନ୍ମ କଲା ମା’ ଏବେ ପୁଅମାନଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ପରିଣତ ବୟସରେ ମା’ଙ୍କୁ ଘରୁ ତଡ଼ିଦେଇଛନ୍ତି ପୁଅ ବୋହୂ। ଶେଷରେ କିଛି ଉପାୟ ନପାଇ ମା’ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପରେ କେତେକ ଗ୍ରାମବାସୀ ଓ ବଜରଙ୍ଗଦଳର ସଦସ୍ୟମାନଙ୍କ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗ୍ରାମରେ।
ପାଲିଆ ଛତ୍ରପୁର ଗ୍ରାମର ଏସ୍‌.ସୀତାମ୍ମା (୭୦) ସ୍ବାମୀଙ୍କ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ତାଙ୍କର ଦୁଇ ପୁଅ ଅଛନ୍ତି। ବଡ଼ ପୁଅ ଏସ.ଭାଗୀରଥି ଓ ସାନ ଏସ୍‌.ଚିଟି। ସାନ ପୁଅ ବାହାରେ ରହୁଥିବା ବେଳେ ଘରେ ବଡ଼ ପୁଅ ଓ ବୋହୂ ରୁହନ୍ତି। ମା’ ସୀତାମ୍ମାଙ୍କୁ ଠିକ ଭାବରେ ଖାଇବାକୁ ନ ଦେବା ସହିତ ସବୁବେଳେ ନିର୍ଯ୍ୟାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ବେଳେ ବେଳେ ଗ୍ରାମବାସୀ ସୀତାମ୍ମାଙ୍କୁ ଖାଇବାକୁ ଦିଅନ୍ତି। ଏ ନେଇ ପୋଲିସ୍‌ ଉପସ୍ଥିତିରେ ପୂର୍ବରୁ ଏକ ବୈଠକ କରି ଏହାର ସମାଧାନ କରାଯାଇଥିଲା। ପୁଣି ବୁଧବାର ମା’ଙ୍କୁ ପୁଅ ଓ ବୋହୂ ମିଶି ଘରୁ ତଡ଼ିଦେଇଥିଲେ। ଶୀତ କାକରରେ ଘର ବାରଣ୍ଡାରେ ରାତି ସାରା ପଡ଼ିରହିଥିଲେ। ଶେଷରେ ଅସ୍ୟ ହୋଇ ମାତ୍ରାଧିକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁବାର ଗ୍ରାମବାସୀ ଓ ବଜରଙ୍ଗ ଦଳର ସଭ୍ୟମାନଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ଏଭଳି ପୁଅଙ୍କୁ ଉଚିତ ଦଣ୍ଡ ଦେବା ସହିତ ବୃଦ୍ଧାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ଗ୍ରାମବାସୀ ଦାବି କରିଛନ୍ତି।