Categories: ବାଣିଜ୍ୟ

୧୩ ଯାଏ ମୋରାଟୋରିୟମ ମାମଲା ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଋଣ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୩ ଯାଏ ସ୍ଥଗିତ ରଖିଛନ୍ତି। ସୋମବାର ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶରେ କହିଛନ୍ତି ଯେ, କେ.ଭି. କାମାଥ କମିଟି ରିପୋର୍ଟକୁ ରେକର୍ଡ ଭାବେ ପ୍ରଦାନ କରାଯାଉ। ସୂଚନାଯୋଗ୍ୟ, କୋଭିଡ୍‌ ଯୋଗୁ ସମସ୍ୟା ସାମ୍ନା କରୁଥିବା ଲୋକଙ୍କର ଋଣ ପୁନର୍ଗଠନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାରକରି ରିପୋର୍ଟ ଦେବା ଲାଗି ସରକାର କେ.ଭି.କାମାଥଙ୍କ ଅଧ୍ୟକ୍ଷତାରେ ଏଭଳି ଏକ କମିଟି ଗଠନ କରିଥିଲେ। କମିଟି ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରିସାରିଥିବା ବେଳେ କମିଟି ରିପୋର୍ଟ ଆଧାରରେ ଋଣ ପୁନର୍ଗଠନ ଯୋଜନା ରିଜର୍ଭ ବ୍ୟାଙ୍କ ଘୋଷଣା କରିସାରିଛି। ସୁପ୍ରିମକୋର୍ଟ କମିଟିର ରିପୋର୍ଟକୁ ଉପସ୍ଥାପନ କରିବାକୁ କହିଥିବାରୁ ଏହି ମାମଲାରେ ଏକ ନୂଆ ଦିଗ ଖୋଲିଛି। ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର୍‌ ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ଏମ୍‌.ଆର୍‌.ଶାହା ଋଣ ମୋରାଟୋରିୟମ ମାମଲାର ଶୁଣାଣି କରୁଛନ୍ତି। ମୋରାଟୋରିୟମ ଅବଧିରେ ଲାଗୁ ହୋଇଥିବା ସୁଧ ଉପରେ ସୁଧ ଛାଡ କରିବା ଲାଗି କିଭଳି ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତ ଆଉ ଏକ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସରକାର ଏବଂ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି।

Share