ଶ୍ରୀକ୍ଷେତ୍ରର ମଠ ସଂସ୍କୃତି

ପ୍ରାକ୍‌ କଥନ- ଆଜକୁ ବାରଶହ ବର୍ଷ ପୂର୍ବେ ଶ୍ରୀକ୍ଷେତ୍ର ବା ଶ୍ରୀପୁରୁଷୋତ୍ତମ କ୍ଷେତ୍ରଠାରେ ମଠ ସଂସ୍କୃତିର ସମୃଦ୍ଧ ଧାରାର ଅୟମାରମ୍ଭ ଘଟି ପଞ୍ଚଦଶ, ଷୋଡ଼ଶ ଶତାବ୍ଦୀ ବେଳକୁ ଏହା ଏକ ସାମଗ୍ରିକ ଓ ବିକଶିତ ରୂପ ପରିଗ୍ରହଣ କରିଥିଲା। ସର୍ବଭାରତୀୟ ସ୍ତରରେ ରହିଥିବା ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟ ଓ ଧାର୍ମିକ ଅନୁଷ୍ଠାନ ଏହି ସମନ୍ବୟବାଦୀ କ୍ଷେତ୍ରରେ ନିଜ ନିଜର ମଠମାନ ପ୍ରତିଷ୍ଠା କରିଥିଲେ। ଅତି ପ୍ରାଚୀନକାଳରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତି ଡୋରରେ ଆକର୍ଷିତ ହୋଇ ଅନେକ ବିଶିଷ୍ଟ ଆଚାର୍ଯ୍ୟ ପୁଣ୍ୟଭୂମି ଶ୍ରୀକ୍ଷେତ୍ରରେ ପଦାର୍ପଣ କରି ଭଗବତ୍‌ ଚିନ୍ତନରେ ନିଜକୁ ନିମଜ୍ଜିତ କରାଇବା ସହ ନିଜର ଦର୍ଶନକୁ ଆଧାର କରି ପାଣ୍ଡିତ୍ୟ ପରାକାଷ୍ଠା ବଳରେ ସମ୍ପ୍ରଦାୟ ଗଠନପୂର୍ବକ ମଠ ସ୍ଥାପନ କରି ସମାଜରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରାଇବା ସହିତ ବିଦ୍ୟାର୍ଥୀ, ଅତିଥି ଅଭ୍ୟାଗତ ତଥା ସାଧୁସନ୍ଥମାନଙ୍କ ସେବାରେ ନିଜକୁ ନିୟୋଜିତ କରି ଏକ ବଳିଷ୍ଠ ପରମ୍ପରା ସୃଷ୍ଟି କରିଛନ୍ତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଶ୍ରୀ ରାମାନୁଜାଚାର୍ଯ୍ୟ, ଶ୍ରୀ ନିମ୍ବାର୍କାଚାର୍ଯ୍ୟ, ଶ୍ରୀ ମାଧ୍ୱାଚାର୍ଯ୍ୟ, ଶ୍ରୀ ବିଷ୍ଣୁସ୍ବାମୀ, କବୀର, ନାନକ, ଶ୍ରୀଚୈତନ୍ୟ, ଶ୍ରୀଚାନ୍ଦ, ଶ୍ରୀରାମାନନ୍ଦାଚାର୍ଯ୍ୟ, ଶ୍ରୀବଲ୍ଲଭାଚାର୍ଯ୍ୟ, ଅତିବଡ଼ୀ ଜଗନ୍ନାଥ ଦାସ ଆଦି ଆଚାର୍ଯ୍ୟଙ୍କ ଭିନ୍ନ ଭିନ୍ନ ଦର୍ଶନ ଆଧାରରେ ଶ୍ରୀକ୍ଷେତ୍ରରେ ଅନେକ ମଠ ସ୍ଥାପିତ ହୋଇଥିବା ଜଣାଯାଏ। ନିଜ ସମ୍ପ୍ରଦାୟ ଭେଦରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଇଷ୍ଟ ଭାବରେ ଗ୍ରହଣ କରି ଆଚାର୍ଯ୍ୟଗଣ ନିଜ ନିଜର ମଠରେ ଅବସ୍ଥାନ କରି ଉପାସନା କରିବା ସହିତ ସନାତନ ଧର୍ମ ସମ୍ବନ୍ଧୀୟ ଶାସ୍ତ୍ର ବିଚାର, ନାମ ସଂକୀର୍ତ୍ତନ ଓ ଧ୍ୟାନଧାରଣା ଶିକ୍ଷା ପ୍ରଦାନ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଓ ପାରମାର୍ଥିକ ଭାବ ପ୍ରସାର ଦିଗରେ ବିଶେଷ ଭୂମିକା ନିର୍ବାହ କରୁଥିଲେ। ଭାରତର ସୁପ୍ରସିଦ୍ଧ ଚାରିଧାମ ମଧ୍ୟରୁ ଅନ୍ୟତମ ଏହି ଧାମରେ ଆଦି ଶଙ୍କରାଚାର୍ଯ୍ୟ ମଠ ସ୍ଥାପନ କରିବା ପରେ ପରେ ଅନେକ ଆଚାର୍ଯ୍ୟ ଭିନ୍ନ ଭିନ୍ନ ସମୟରେ ଏହି ଧାମରେ ମଠ ପ୍ରତିଷ୍ଠା କରିଥିବା ଇତିହାସରୁ ଜଣାଯାଏ। ଶ୍ରୀମନ୍ଦିରର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ବିଭିନ୍ନ ସମ୍ପ୍ରଦାୟର ମଠମାନ ସ୍ଥାପନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାପୂଜାରେ ନିଜକୁ ନିୟୋଜିତ କରିବା ସହିତ ଧର୍ମ ପ୍ରଚାରରେ ବ୍ରତୀ ହୋଇ ଏକ ସଦାଚାର ଯୁକ୍ତ ଆଦର୍ଶ ସମାଜ ଗଢ଼ିବାର ଗୁରୁଦାୟିତ୍ୱ ବହନ କରିଥିଲେ ବିଭିନ୍ନ ସମ୍ପ୍ରଦାୟର ଧର୍ମଗୁରୁମାନେ ଏହି ପାବନପୀଠରେ। ଅଦ୍ୟାବଧି ସନାତନ ଧର୍ମର ବିଭିନ୍ନ ସମ୍ପ୍ରଦାୟର ଶତାଧିକ ମଠ ଶ୍ରୀକ୍ଷେତ୍ର ଧାମରେ ବିଦ୍ୟମାନ।

ପ୍ରାଚୀନ ସମୟରୁ ସୁପ୍ରତିଷ୍ଠିତ ବିଭିନ୍ନ ସମ୍ପ୍ରଦାୟର ମଠ ଇତ୍ୟାଦି ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚେତନାରେ ସମ୍ମିଳିତ ହୋଇ ସୃଷ୍ଟି କରିଛି ଏକ ମହାନ୍‌ ଧାର୍ମିକ ପ୍ରବାହ। ସେହି ଧାର୍ମିକ ପ୍ରବାହ ମଧ୍ୟରେ ମଠଗୁଡ଼ିକର ମାହାତ୍ମ୍ୟ ସ୍ବତନ୍ତ୍ର। ଐତିହାସିକ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ ପୁସ୍ତକରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁଯାୟୀ, ଗଙ୍ଗ ବଂଶର ରାଜା ଅନଙ୍ଗଭୀମ ଦେବଙ୍କ ସମୟରେ ଶ୍ରୀମନ୍ଦିରର ଚାରି ଦିଗରେ ଅନେକ ମଠ ସ୍ଥାପିତ ହୋଇଥିଲା। ଏମାନଙ୍କ ମଠାଧାରୀମାନେ ନିମ୍ନଲିଖିତ କାର୍ଯ୍ୟ କରିବାକୁ ଦାୟୀ ଥିଲେ। ଯଥା-ପରମେଶ୍ୱରଙ୍କ ଭୋଗ ନିଯୋଗ ଭଲ ମନ୍ଦ ବୁଝିବେ, ମୁଦ୍ରାହସ୍ତ ବା ମୁଦିରଥ, ପଶୁପାଳକ, ବ୍ରାହ୍ମଣ ସେବକମାନଙ୍କୁ ସା, ପୂଜା ଓ ସ୍ନାନ ବିଧି ଶିକ୍ଷା ଦେବେ, କ୍ଷେତ୍ରର ସମସ୍ତ ଲୋକଙ୍କ ଗୁହାରି ବୁଝି ଦଣ୍ଡମଣ୍ଡ କରିବା ଲାଗି ପରୀକ୍ଷାକୁ କହିବେ।
ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶ୍ରୀ ସମ୍ପ୍ରଦାୟ ବା ଶ୍ରୀ ରାମାନୁଜ ସମ୍ପ୍ରଦାୟ, ରାମାନନ୍ଦୀ ସମ୍ପ୍ରଦାୟ, ବ୍ରହ୍ମମାଧ୍ୱ ଗୌଡ଼େଶ୍ୱର ସମ୍ପ୍ରଦାୟ (ଗୌଡ଼ୀୟ ସମ୍ପ୍ରଦାୟ), ଶ୍ରୀଶଙ୍କର ସମ୍ପ୍ରଦାୟ, ଅତିବଡ଼ୀ ସମ୍ପ୍ରଦାୟ, ନାନକପନ୍ଥୀ ସମ୍ପ୍ରଦାୟ, ଉଦାସୀନ ସମ୍ପ୍ରଦାୟ, କବୀର ସମ୍ପ୍ରଦାୟ, ବିଷ୍ଣୁସ୍ବାମୀ ସମ୍ପ୍ରଦାୟ, ବଲ୍ଲଭାଚାର୍ଯ୍ୟ ସମ୍ପ୍ରଦାୟ, ଉତ୍କଳୀୟ ବୈଷ୍ଣବ ସମ୍ପ୍ରଦାୟ, ସ୍ମାର୍ତ୍ତ ସମ୍ପ୍ରଦାୟ, ଦଶନାମୀ ସମ୍ପ୍ରଦାୟ, ମାଧବାଚାର୍ଯ୍ୟ ସମ୍ପ୍ରଦାୟର ଶତାଧିକ ମଠ ପ୍ରତିଷ୍ଠିତ ହୋଇଥିବା ବେଳେ ଏଥି ମଧ୍ୟରୁ କେତେକ ପ୍ରସିଦ୍ଧ ମଠାନୁଷ୍ଠାନର ଶ୍ରୀମନ୍ଦିର ସେବା ପୂଜା ସହ ସମ୍ପୃକ୍ତି ରହିଅଛି।

ଶ୍ରୀମନ୍ଦିର ସହ ମଠାନୁଷ୍ଠାନର ସମ୍ପୃକ୍ତି – ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଅଧିକାଂଶ ନୀତି, ଉତ୍ସବ, ଯାନିଯାତ୍ରା ସହିତ ବିଭିନ୍ନ ସମ୍ପ୍ରଦାୟଭିତ୍ତିକ ମଠାନୁଷ୍ଠାନର ସମ୍ପୃକ୍ତି ରହିଆସିଅଛି। ଏଥିନିମନ୍ତେ ବହୁ ରାଜା, ମହାରାଜା, ବଦାନ୍ୟ ବ୍ୟକ୍ତି ବିଶେଷ ମଠ ମାର୍ଫତରେ ହଜାର ହଜାର ଏକର ଭୂ ସମ୍ପତ୍ତି ତଥା ଅମୃତମଣୋହି ସମ୍ପତ୍ତି ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବା ବିଧାନର ସୁପରିଚାଳନା ନିମନ୍ତେ ଖଞ୍ଜିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉପାସନାରେ ବିଭିନ୍ନ ମଠାନୁଷ୍ଠାନ ସ୍ବତନ୍ତ୍ର ଭାବେ ଅଂଶଗ୍ରହଣ କରିଥିବାର ପରମ୍ପରା ପ୍ରାଚୀନ ସମୟରୁ ଚାଲିଆସୁଅଛି। ତନ୍ମଧ୍ୟରେ ଦୈନନ୍ଦିନ ମହାପ୍ରଭୁଙ୍କ ଧୂପ ପୂଜା ସମୟରେ ଉପଚାର ଚାମର ଓ ଆଲଟ ସେବା, ଅବକାଶ ସମୟରେ ମଶାଲ ଯୋଗାଇବା ସେବା, ମହାପ୍ରଭୁଙ୍କ ନିତ୍ୟ ବେଶ ନିମନ୍ତେ ପୁଷ୍ପାଳଙ୍କାର ତୁଳସୀ ଓ ମାଳା ଇତ୍ୟାଦି ଯୋଗାଇବା, ଶ୍ରୀମନ୍ଦିର ରୋଷରେ ବହୁ ପରିମାଣର ଅମୃତମଣୋହି ଭୋଗ ବା ଖଟଣି ଭୋଗ କରିବା, ଶ୍ରୀମନ୍ଦିରର କେତେକ ସ୍ଥାନକୁ ମାର୍ଜନା କରିବା ସେବା, ଝାଞ୍ଜପିଟା ସେବା, ରଥଯାତ୍ରା ସମୟରେ ଟାହିଆ, ବିଭିନ୍ନ ଦ୍ରବ୍ୟ ଯୋଗାଣ, ବିଭିନ୍ନ ବେଶ ସାମଗ୍ରୀ ଯୋଗାଣ, ଠାକୁରମାନଙ୍କ ପହଣ୍ଡି ସମୟରେ ପଂନ୍ତି ଭୋଗ କରାଇବା, ଆଲଟ, ଚାମର ସେବା, ବାଳଧୂପ, ଗୋପାଳବଲ୍ଲଭ ଭୋଗ ସାମଗ୍ରୀ ଯୋଗାଇବା, ଅଣସର ସମୟରେ ଚକଟା ଭୋଗ ପଠାଇବା, ଫୁଲୁରି ତେଲ, ଗଡ଼ା ବସ୍ତ୍ର ଯୋଗାଇବା, ଅଧରପଣା ସାମଗ୍ରୀ ଯୋଗାଇବା ଇତ୍ୟାଦି ଅନେକ ସେବା ସହ ମଠାନୁଷ୍ଠାନଗୁଡ଼ିକ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ରାଜ୍ୟ ଦେବୋତ୍ତର ଆଇନ ନିୟନ୍ତ୍ରଣାଧୀନରେ ଏହିସବୁ ମଠ ରହିଅଛି।
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ମଠାନୁଷ୍ଠାନ: ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରେ ଥିବା ମଠାନୁଷ୍ଠାନଗୁଡ଼ିକ ମଧ୍ୟରେ ଶ୍ରୀ ରାମାନୁଜ ସମ୍ପ୍ରଦାୟର ପ୍ରସିଦ୍ଧ ଏମାର ମଠ, ନରସିଂହାଚାରୀ ମଠ, ସାନଝାଡୁ ମଠ, ବଡ଼ଝାଡୁ ମଠ, ଦକ୍ଷିଣ ପାର୍ଶ୍ୱ ମଠ, କୌଶଲ୍ୟା ଦାସ ମଠ, କଟକୀ ମଠ, ଶଙ୍ଖଚକ୍ର ମଠ, ରେବସା ମଠ, ତ୍ରିମାଳୀ ମଠ, ଉତ୍ତର ପାର୍ଶ୍ୱ ମଠ, ରାଘବ ଦାସ ମଠ ପ୍ରଭୃତି ପ୍ରତିଷ୍ଠିତ ଥିଲାବେଳେ ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ଅନ୍ୟତମ ପ୍ରସିଦ୍ଧ ବଡ଼ଛତା ମଠ, ଛାଉଣୀ ମଠ, ବଳରାମକୋଟ ମଠ, ପଞ୍ଜାବୀ ମଠ, ତୋରାଣିଛତ୍ର ମଠ, ସାନଛତା ମଠ, ବଡ଼ ଆଖେଡ଼ା ମଠ ଏବଂ ଦଶନାମୀ ସମ୍ପ୍ରଦାୟର ଲଙ୍ଗୁଳି ଓରଫ ଲକ୍ଷ୍ମୀଭଦ୍ର ମଠ, ନିମ୍ବାର୍କ ସମ୍ପ୍ରଦାୟର ରାଧାବଲ୍ଲଭ ମଠ, ଉଦାସୀନ ସମ୍ପ୍ରଦାୟର ମଙ୍ଗୁମଠ, ଗୌଡ଼ୀୟ ସମ୍ପ୍ରଦାୟର ହାବେଳି ମଠ, ପୋଡ଼ା ମଠ ଇତ୍ୟାଦି ଅବସ୍ଥିତ।
ବିଗତ ଦୁଇ ବର୍ଷ ଧରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ କେତେକ ମଠର ବିଜେସ୍ଥଳୀର ଅଧିକାଂଶ ସ୍ଥାନ ଲୋପ ପାଇଯାଇଛି। ତନ୍ମଧ୍ୟରେ ଏମାର ମଠ, ମଙ୍ଗୁ ମଠ, ନରସିଂହାଚାରୀ ମଠ, କୌଶଲ୍ୟା ଦାସ ମଠ, ସାନଝାଡୁ ମଠ, ତ୍ରିମାଳୀ ମଠ, ଉତ୍ତର ପାର୍ଶ୍ୱ ମଠ, ହାବେଳି ମଠ, ସାନଛତା ମଠ, ଶଙ୍ଖଚକ୍ର ମଠ, ରେବସା ମଠ, ପଞ୍ଜାବୀ ମଠ, ଦକ୍ଷିଣ ପାର୍ଶ୍ୱ ମଠ, ବଡ଼ ଆଖେଡ଼ା ମଠ, ଲଙ୍ଗୁଳି (ଲକ୍ଷ୍ମୀଭଦ୍ର) ମଠ, କଟକୀ ମଠ, ତୋରାଣିଛତ୍ର ମଠ, ପୋଡ଼ା ମଠ ଅନ୍ତର୍ଭୁକ୍ତ। ଏତଦ୍‌ ବ୍ୟତୀତ ରାଧାବଲ୍ଲଭ ମଠ ଓ ବଳରାମକୋଟ ମଠ ବିଜେସ୍ଥଳୀର କିଛି ଅଂଶ ଉଚ୍ଛେଦ ପ୍ରକ୍ରିୟାରେ ରହିଅଛି। ଏହି ମଠଗୁଡ଼ିକୁ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଥିବା ଜଣାଯାଏ। ଉଚ୍ଛେଦ ପ୍ରକ୍ରିୟାରେ ମଠର ଜମିଗୁଡ଼ିକ ଶ୍ରୀମନ୍ଦିର ଐତିହ୍ୟ କରିଡର ଯୋଜନାରେ ବ୍ୟବହୃତ ହେଉଥିବା ଜଣାଯାଏ।

ଉଚ୍ଛେଦ ହୋଇଥିବା ମଠାନୁଷ୍ଠାନଗୁଡ଼ିକ ସହ ଶ୍ରୀମନ୍ଦିର ସେବା ପୂଜା ସମ୍ବନ୍ଧୀୟ ସମ୍ପୃକ୍ତି:
୧ ଏମାର ମଠ: ଦୈନିକ ଶ୍ରୀମନ୍ଦିର ଗୋପାଳବଲ୍ଲଭ ଭୋଗ ନିମନ୍ତେ ବଲ୍ଲଭଭୋଗ ଯୋଗାନ୍ତି। ଏଥିପାଇଁ ମଠ ବିଜେସ୍ଥଳୀରେ ଏକ ବଲ୍ଲଭ ଘର ରହିଥିଲା। ବଡ଼ସିଂହାର ବେଶକୁ ଚନ୍ଦ୍ରିକା ଓ ଚଉସରା ମାଳ ଯୋଗାନ୍ତି। ମଠାଧୀଶଙ୍କର ଉପଚାର ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି। ବିଭିନ୍ନ ଯାନିଯାତ୍ରାରେ ପଂନ୍ତିଭୋଗ କରାନ୍ତି। ପ୍ରତ୍ୟହ ବହୁ ପରିମାଣର ଖଟଣି ଭୋଗ ପରମ୍ପରା ଏହି ମଠର ରହିଥିଲା। ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଓ ସରଘର ରହିଅଛି।

୨ ମଙ୍ଗୁ ମଠ: ଉପଚାର ଚାମର ସେବା, ରଥଯାତ୍ରାରେ ପଂନ୍ତିଭୋଗ ଇତ୍ୟାଦି ମଠ ତରଫରୁ କରାନ୍ତି।

୩-ଉତ୍ତରପାର୍ଶ୍ୱ ମଠ- ମଠାଧୀଶଙ୍କର ଚାମର, ଆଲଟ ସେବା ଅଛି। ଶ୍ରୀମନ୍ଦିରରେ ମହନ୍ତାଇ ଶାଢ଼ିବନ୍ଧା ରହିଛି। ସକାଳ ଅବକାଶ ନୀତି ପାଇଁ ଦହି, କର୍ପୂର ଇତ୍ୟାଦି ସାମଗ୍ରୀ ଯୋଗାଇଥାନ୍ତି। ବେଶ ନିମନ୍ତେ ଏକ ଗୋଟି ଶ୍ରୀପୟରମାଳା ପ୍ରତ୍ୟହ ଶ୍ରୀମନ୍ଦିରକୁ ପଠାଇଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମଣୋହି ନିମନ୍ତେ ଦୈନିକ ୫ ସେର ମୋହନଭୋଗ କରିବା ନିମନ୍ତେ ଜମି ପାଇଅଛନ୍ତି। ଶ୍ରୀମନ୍ଦିରର ବିଭିନ୍ନ ଉତ୍ସବାଦିରେ ଓ ଠାକୁରମାନଙ୍କ ପହଣ୍ଡି ବିଜେ ସମୟରେ ପଂନ୍ତିଭୋଗ କରାନ୍ତି। ଶ୍ରୀମନ୍ଦିର ରୋଷଶାଳାରେ ମଠର ଖଟଣି ଭୋଗ ନିମନ୍ତେ ଚୁଲା ରହିଅଛି।

୪-ସାନଛତା ମଠ- ମଠାଧୀଶଙ୍କର ଚାମର ଓ ଆଲଟ ସେବା ରହିଛି। ସ୍ନାନ ପୂର୍ଣ୍ଣମୀ ଦିନ ମଠ ବିଜେସ୍ଥଳୀଠାରେ ପଂନ୍ତିଭୋଗ କରାନ୍ତି।

୫- ଶ୍ରୀରାମଦାସ ମଠ (ଦକ୍ଷିଣପାର୍ଶ୍ୱ ମଠ)- ଶ୍ରୀମନ୍ଦିରରେ ମଠ ମହନ୍ତଙ୍କ ଉପଚାର ଚାମର ଓ ଆଲଟ ସେବା ରହିଅଛି। ଅତୀତରେ ଚନ୍ଦନଚକଡ଼ାଠାରେ ମଠର ସର୍ବାଙ୍ଗ ସେବା ରହିଥିଲା। ଘୋଡ଼ ଲାଗିକୁ ଘୋଡ଼ବସ୍ତ୍ର ଯୋଗାନ୍ତି। ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ବେଶ ସାମଗ୍ରୀ ମଠ ତରଫରୁ ଶ୍ରୀମନ୍ଦିରକୁ ଆସିଥାଏ। ମଠର ମହାଦେଈ ଥାଳି ଖେଚେଡି ଓ ଖଟଣି ଭୋଗ ନିମନ୍ତେ ମଠ ମାର୍ଫତରେ ଶ୍ରୀମନ୍ଦିର ରୋଷଶାଳାରେ କେତେକ ଚୁଲି ଓ ସରଘରମାନ ପ୍ରଦତ୍ତ ହୋଇଥିଲା। ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେରେ ପଂନ୍ତିଭୋଗ କରାନ୍ତି।

୬-ତ୍ରିମାଳୀ ମଠ: ଉପଚାର ଚାମର ସେବା ରହିଛି। ଅବକାଶ ନୀତି ବେଳେ ଦିହୁଡ଼ି ଯୋଗାନ୍ତି। ଦୈନିକ ବଲ୍ଲଭ ଭୋଗ ସାମଗ୍ରୀ ଶ୍ରୀମନ୍ଦିରକୁ ପଠାଇଥାନ୍ତି। ଖଟଣି ଭୋଗ ସମେତ ରଥଯାତ୍ରା ଓ ଅନ୍ୟାନ୍ୟ ଯାନିଯାତ୍ରା ଦିନଗୁଡ଼ିକରେ ପଂନ୍ତିଭୋଗ କରାନ୍ତି।

୭- ରେବସା ମଠ: ଏହି ମଠର ମଠାଧୀଶଙ୍କ ଉପଚାର ଚାମର ଓ ଆଲଟ ସେବା ରହିଛି। ରଥଯାତ୍ରାରେ ଶ୍ରୀମନ୍ଦିର ପରିସରରେ ଠାକୁରମାନଙ୍କ ପହଣ୍ଡି ସମୟରେ ପଂନ୍ତିଭୋଗ କରାନ୍ତି। ଶ୍ରୀମନ୍ଦିରରେ ଏଥିପାଇଁ ମଠ ମାର୍ଫତରେ ସରଘର ମିଳିଥିଲା।

୮-ରାଧାବଲ୍ଲଭ ମଠ: ମଠାଧୀଶଙ୍କର ଶ୍ରୀମନ୍ଦିରରେ ଉପଚାର ଚାମର ଓ ଆଲଟ ସେବା ରହିଛି। ବିଭିନ୍ନ ଉତ୍ସବାଦିରେ ପଂନ୍ତିଭୋଗ କରିବା ସମେତ ଶ୍ରୀମନ୍ଦିର ପରିସରରେ ମଠ ମାର୍ଫତରେ ଏକ ରାଧାବଲ୍ଲଭ ମନ୍ଦିର ରହିଛି। ଏହି ଠାକୁରଙ୍କ ସେବା ପୂଜା ମଠ ତରଫରୁ କରାଯାଉଛି।

୯- ଲଙ୍ଗୁଳି ଓରଫ ଲକ୍ଷ୍ମୀଭଦ୍ର ମଠ: ମଠ ସନ୍ନ୍ୟାସୀମାନଙ୍କ ସକାଶେ ଦୈନିକ ଝଢ଼ାଇନେଦା ୧ ଓଳି ପାଇବେ। ଶ୍ରୀମନ୍ଦିର ରୋଷଶାଳାରେ ଏହି ମଠ ମାର୍ଫତରେ ୩ଟି ଚୁଲା ରହିଛି।

୧୦- ସାନଝାଡୁ ମଠ: ଶ୍ରୀମନ୍ଦିର ନାଟମଣ୍ଡପ ଓ କୂର୍ମବେଢ଼ା ଅଗଣା ଇତ୍ୟାଦି ଦୈନିକ ମାର୍ଜନା ସେବା।

୧୧- ପଞ୍ଜାବୀ ମଠ: ଦୈନିକ ଶ୍ରୀମନ୍ଦିର ରୋଷରେ ଖଟଣି ଭୋଗ ନିମନ୍ତେ ରୋଷଶାଳାରେ ଚୁଲି ରହିଛି।
୧୨- ନରସିଂହାଚାରୀ ମଠ: ଦୈନିକ ଶ୍ରୀମନ୍ଦିରରେ ଖଟଣି ଭୋଗ, ଯାନିଯାତ୍ରାରେ ପଂନ୍ତିଭୋଗ। ଶ୍ରୀମନ୍ଦିର ପରିସରରେ ଚୁଲି ଓ ସରଘର ମଠ ମାର୍ଫତରେ ରହିଛି।
୧୩- କୌଶଲ୍ୟା ଦାସ ମଠ: ଶ୍ରୀମନ୍ଦିରରେ ଖଟଣି ଭୋଗ ନିମନ୍ତେ ରୋଷଶାଳାରେ ଚୁଲି ରହିଛି।
୧୪- ବଳରାମ କୋର୍ଟ ମଠ: ଏହି ମଠ ମହନ୍ତଙ୍କର ଶ୍ରୀମନ୍ଦିରରେ ଉପଚାର ଚାମର ଓ ଆଲଟ ସେବା ରହିଛି।
(ଜଣେ ପାଠକଙ୍କ ଦ୍ୱାରା ଇ-ମେଲ୍‌ ଯୋଗେ ହସ୍ତଗତ ହୋଇଥିବା ଲେଖା)


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?