ରାସ୍ତା ଖୋଳିଲେ ଖଣି କମ୍ପାନୀ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ଯୋଡ଼ା,୨୫।୬(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା -ବାମେବାରି ରାସ୍ତାର ବାଂଶପାଣିଠାରେ ଥିବା ରେଳ ଓଭରବ୍ରିଜ ରାସ୍ତାରେ ଦୁଇ ଫୁଟ୍‌ରୁ ଊଦ୍ଧର୍‌ବ ଉଚ୍ଚରେ ପାଣି ଜମିଛି। ରାସ୍ତାରେ ହୋଇଥିବା ବଡ଼ ଗାଢ଼ରେ ଅସରାଏ ବର୍ଷାରେ ପାଣି ଜମି ଯାତାୟାତ ଠପ୍‌ ହୋଇଯାଉଛି। ଶୁକ୍ରବାର ଓ ଶନିବାର ମୌସୁମୀ ବର୍ଷାରେ ଉକ୍ତ ରସ୍ତାରେ ପାଣି ଜମିବାରୁ ବାମେବାରି-ଜୁରୁଡ଼ି-ଯୋଡ଼ା ରାସ୍ତାରେ କିଛି ସମୟ ଭାରିଯାନ ଚଳାଚଳ ଠପ୍‌ ହୋଇଯାଇଥିଲା।
ରାସ୍ତା ଦେଇ ଯାଉଥିବା ଚାଳକ ନରସିଂହ ଓରାମ, ମଗୁରୁଚରଣ ମୁଣ୍ଡା ପ୍ରମୁଖ କହିଛନ୍ତି, ରାସ୍ତାରେ ସେମାନେ ଦୈନିକ ଭାରିଯାନରେ ଲୁହାପଥର ପରିବହନ କରିଥାଆନ୍ତି। ଅନେକ ସମୟରେ ବିଭିନ୍ନ କମ୍ପାନୀର ବଡ଼ ମେସିନ ଖଣିକୁ ଏହି ଓଭରବ୍ରିଜ ରାସ୍ତା ଦେଇ ଯାଇ ନ ପାରି ଅଟକି ରହିଥାଏ। ଫଳରେ ବିଳମ୍ବିତ ରାତିରେ କିଛି ଅସାଧୁ ରେଳ କର୍ମଚାରୀଙ୍କୁ ହାତ ବାରିଶି କରି କମ୍ପାନୀଗୁଡ଼ିକ ସମତଳ ରାସ୍ତାକୁ ଖୋଳି ମେସିନ ଅତିକ୍ରମ କରାଇଥାନ୍ତି। ଫଳରେ ରାସ୍ତାରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥାଏ। ଗର୍ତ୍ତରେ ସାମାନ୍ୟ ବର୍ଷା ହେଲେ ପ୍ରାୟ ଦୁଇ ଫୁଟ ଊର୍ଦ୍ଧ୍ୱ ଗଭୀରରେ ବର୍ଷା ଜଳ ଜମିଥାଏ। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଗାଡ଼ି ଯାତାୟାତରେ ସମସ୍ୟା ଉପୁଜିଥାଏ। ଅଧିକ ବାଇକ ଆରୋହୀ ଦୁର୍ଦ୍ଦଶା ଭୋଗି ଥାଆନ୍ତି। ରାସ୍ତା ଦେଇ ଜୁରୁଡ଼ି-ବାମେବାରି ଅଞ୍ଚଳର ଜନସାଧାରଣ ଯୋଡ଼ା ବ୍ଲକ୍‌ ସଦର ମହକୁମାରେ ଥିବା ବିଭିନ୍ନ କାର୍ଯ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କକୁ ଯାଆସ କରି ଥାଆନ୍ତି।
ରାସ୍ତାଟି ଅର୍ଥନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ଏଥିପ୍ରତି ପ୍ରଶାସନିକ ଉଦାସିନତା ସାଧାରଣଙ୍କୁ ବ୍ୟଥିତ କରିଛି ବୋଲି ଶ୍ରମିକ ନେତା ମହେଶ୍ୱର ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।